ଦୁର୍ଗାପୂଜା ବିସର୍ଜନ ପାଇଁ ଗାଇଡଲାଇନ

ଦୁର୍ଗାପୂଜା ବିସର୍ଜନ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

ନିୟମ ଉଲ୍ଲଂଘନ କଲେ ଜୋରିମାନା ଆଦାୟ ହେବ

ଭୁବନେଶ୍ୱର, ୨୪.୧୦.୨୦୨୩: ଚଳିତ ବର୍ଷ ଦୁର୍ଗାପୂଜା ଭସାଣି ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ବିସର୍ଜନ ସମୟରେ ସହରରେ ଟ୍ରାଫିକ୍ କଟକଣା ସହ କଡ଼ା ଅବରୋଧ ଓ ଚେକିଂ କରାଯିବ। ଆସନ୍ତାକାଲି ଅପରାହ୍ନ ୩ଟାରୁ ଦୁର୍ଗାପୂଜା ବିସର୍ଜନ ଆରମ୍ଭ ହେବାକୁ ଥିବା ବେଳେ ରାତି ୧ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ବଳବତ୍ତର ରହିବ ବୋଲି ଗାଇଡଲାଇନରେ କୁହାଯାଇଛି।

ଗାଇଡଲାଇନ ଅନୁଯାୟୀ, ସହିଦ ନଗର ଦୁର୍ଗାଙ୍କ ବିସର୍ଜନ ସମୟରେ ବାଣୀବିହାରରୁ ରୁପାଲି ଛକ ପର୍ଯ୍ୟନ୍ତ କୌଣସି ଯାନବାହନ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ। ବାଣୀବିହାରରୁ ସମସ୍ତ ଗାଡ଼ିକୁ ଆଚାର୍ଯ୍ୟ ବିହାରକୁ ଡାଇଭର୍ଟ କରାଯିବ। ନୟାପଲ୍ଲୀ ବିସର୍ଜନ ପାଇଁ ଗାଡ଼ିଗୁଡ଼ିକୁ ସିଆରପିରୁ ଏକାମ୍ର କାନନ ରାସ୍ତାକୁ ଡାଇଭର୍ଟ କରିବା ସହ ଜନପଥ ଓ ସଚିବାଳୟ ମାର୍ଗରେ ଯାନବାହନ ଚଳାଚଳ ନିଷିଦ୍ଧ କରାଯାଇଛି। ଚନ୍ଦ୍ରଶେଖରପୁର ବିସର୍ଜନ ସମୟରେ କିଟରୁ ନାଲକୋ ରାସ୍ତା ଅବରୋଧ ହେବ। ଯଦି ଏହି ନିୟମକୁ ଉଲ୍ଲଂଘନ କରାଯାଏ ତେବେ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିସନରେଟ୍ ପୁଲିସ ସୂଚନା ଦେଇଛି।