ଓଡ଼ିଆ ସଙ୍ଗୀତ ଯୁଗର ଅବସାନ: ନୀରବି ଗଲା ସ୍ୱରୂପଙ୍କ ସ୍ୱର

ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କର ଆଜି ୭୬ ବର୍ଷ ବୟସରେ ପରଲୋକ ଘଟିଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର, ୨୭.୧୦: ଆଜି ଓଡ଼ିଆ ସଙ୍ଗୀତ ଯୁଗର ଅବସାନ ଘଟିଲା। ନୀରବିଗଲା ଓଡ଼ିଆ ସଙ୍ଗୀତ ଜଗତର ସ୍ରଷ୍ଟା ସ୍ୱରୂପ ନାୟକଙ୍କ ସ୍ୱର। ଆଉ ଶୁଣିବାକୁ ମିଳିବନି ଓଡ଼ିଆ ଆଧୁନିକ ସଙ୍ଗୀତ ଜଗତର ଜନକଙ୍କ କଣ୍ଠରେ ସୁମଧୁର ସଙ୍ଗୀତ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କର ଆଜି ପରଲୋକ ଘଟିଛି। ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିବା ସ୍ୱରୂପ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।

ସେ ଏକାଧାରରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ ଓ ଅଭିନେତା ମଧ୍ୟ ଥିଲେ। ସେ ଅନେକ ଓଡ଼ିଆ ସିନେମାର ସଙ୍ଗୀତରେ କାମ କରିବା ସହ ଅନେକ ହିଟ୍ ଫିଲ୍ମ ଓ ଆଲବମ୍ ଗୀତ ଉପହାର ଦେଇଥିଲେ। ସେ ୪୧ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେ ୬ଟି ଓଡ଼ିଆ କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଭାବରେ କାମ କରିବା ସହ ୬ଟି ସିନେମାରେ ମଧ୍ୟ ଅଭିନୟ କରିଥିଲେ। ୧୯୮୪ମସିହାରେ ସେ ‘ଜୟଦେବ’ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ।

୧୯୪୭ ମସିହା ଫେବ୍ରୁଆରି ୮ ତାରିଖରେ ଜନ୍ମଗ୍ରହଣ କରିଥିବା ନାୟକ ୧୯୬୨ ମସିହାରେ ‘ହୀରା ନୀଳା’ରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସ୍ୱରୂପ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରୀ ନାୟକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।