ପ୍ରକାଶ ପାଇଲା ଡ୍ରାଫ୍ଟ ଭୋଟର ତାଲିକା

ଆଜି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇଛି।

ଭୋଟର ସଂଖ୍ୟା ୦.୯୪ ପ୍ରତିଶତ

ଭୁବନେଶ୍ବର, ୨୭.୧୦: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ କୁମାର ଧଳ ଶୁକ୍ରବାର ୨୦୨୪ ସାଧାରଣ ନିର୍ବାଚନ ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି। ୨୦୨୪ ଜାନୁଆରି ୫ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଡ୍ରାଫ୍ଟ ତାଲିକାରେ ଥିବା ଭୋଟରଙ୍କ ସଂଖ୍ୟା ୩,୨୩,୫୨,୧୧୯ରୁ ୩,୨୬,୫୫,୨୧୩କୁ ବୃଦ୍ଧି ପାଇଛି ଯାହାକି ୩,୦୩,୦୯୪ ଭୋଟର ବୃଦ୍ଧି ବା ୦.୯୪ ପ୍ରତିଶତ ବୃଦ୍ଧି ପାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଡ୍ରାଫ୍ଟ ତାଲିକାରେ ୬ ଲକ୍ଷ ୨୨ ହଜାର ୪୨୯ ଭୋଟରଙ୍କୁ ସାମିଲ କରାଯାଇଥିବା ବେଳେ ମୃତ୍ୟୁ, ଠିକଣା ପରିବର୍ତ୍ତନ ଏବଂ ଏକାଧିକ ଭୋଟର କାର୍ଡ ଥିବା ବ୍ୟକ୍ତିଙ୍କ ସମେତ ବିଭିନ୍ନ କାରଣରୁ ୩ ଲକ୍ଷ ୧୯ ହଜାର ୩୪୫ ଜଣ ଭୋଟରଙ୍କ ନାମ କାଟି ଦିଆଯାଇଛି। ଏହା ସହ ପୂର୍ବରୁ ଲିଙ୍ଗ ଅନୁପାତ ୧୦୦୦:୯୬୧ ଥିବା ବେଳେ ଏବେ ରାଜ୍ୟରେ ଲିଙ୍ଗ ଅନୁପାତ ୧୦୦୦:୯୬୩ ରହିଛି। ରାଜ୍ୟରେ ବୁଥ୍ ସଂଖ୍ୟା ୩୭,୬୦୬ରୁ ୩୭,୮୦୯କୁ ବୃଦ୍ଧି କରାଯାଇଛି। ଅକ୍ଟୋବର ୨୭ରୁ ଡିସେମ୍ବର ୯ ମଧ୍ୟରେ ଜନସାଧାରଣଙ୍କ ଠାରୁ ତ୍ରୁଟି ସମ୍ପର୍କିତ ଅଭିଯୋଗ ଗ୍ରହଣ କରାଯିବ ଏବଂ ଡିସେମ୍ବର ୨୬ ସୁଦ୍ଧା ଅଭିଯୋଗର ଶୁଣାଣି ହେବ।