ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ରାଜ୍ୟ ସରକାରଙ୍କ ବଡ ଘୋଷଣା

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ରାଜ୍ୟ ସରକାରଙ୍କ ବଡ ଘୋଷଣା କରିଛନ୍ତି।

ବିପର୍ଯ୍ୟୟ ମୁକାବିଲା ପାଇଁ ୨୦୦୦ କୋଟି

ଭୁବନେଶ୍ବର,୨୯.୧୦: ରବିବାର ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ସ୍ଥାପନ ପାଇଁ ରାଜ୍ୟ ସରକାର ୨ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସବୁବେଳେ ବିପର୍ଯ୍ୟୟର ସଫଳ ମୁକାବିଲା କରିବାରେ ସକ୍ଷମ ହୋଇଛି। ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ନିର୍ମାଣ ପାଇଁ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ବିଭିନ୍ନ ପ୍ରକାର ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରତ୍ୟେକ ଗାଁ ପ୍ରସ୍ତୁତ ରହିବ। ପ୍ରତି ଗାଁରୁ ଅତି କମରେ ୧୦ ଜଣଙ୍କୁ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ତାଲିମ ଦେବା ପାଇଁ ରେଡକ୍ରସକୁ ନିୟୋଜିତ କରାଯିବ ବୋଲି ନବୀନ କହିଛନ୍ତି।

ମୁଖ୍ୟ ଶାସନ ସଚିବ ପିକେ ଜେନା କହିଛନ୍ତି ଯେ, ଉପଯୁକ୍ତ ପ୍ରଶିକ୍ଷଣ ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଘରୁ ବିପର୍ଯ୍ୟୟ ପରିଚାଳନା ଯୋଦ୍ଧା ବାହାରିବେ।

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ପିକେ ଜେନା, ସ୍ବତନ୍ତ୍ର ରିଲିଫ୍ କମିସନର ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।