ରାଜ୍ୟରେ ଅନୁଭୂତ ହେଲାଣି ଥଣ୍ଡା

ରାଜ୍ୟରେ ଥଣ୍ଡା ଅନୁଭୂତ ହେବା ସହ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦ ଡିଗ୍ରୀକୁ ଖସିଲାଣି।

ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ

ଭୁବନେଶ୍ବର, ୨୯.୧୦: ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଥଣ୍ଡା ଅନୁଭୂତ ହୋଇଥିବାରୁ ସମଗ୍ର ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରାରେ ଦ୍ରୁତ ହ୍ରାସ ଘଟିଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଅକ୍ଟୋବରରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପାରଦ ୨୦ ଡିଗ୍ରି ତଳକୁ ଖସିଥିବା ବେଳେ କଟକର ସର୍ବନିମ୍ନ ତାପମାତ୍ରା ୨୦.୨ ଡିଗ୍ରି ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ଜି ଉଦୟଗିରିରେ ରବିବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ କରାଯାଇଛି। କଳାହାଣ୍ଡି, କୋରାପୁଟ ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମରୁ ଘନ କୁହୁଡ଼ି ଅନୁଭୂତ ହୋଇଛି।

ସେହିପରି ନଭେମ୍ବର ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।