ଓଡ଼ିଶା ସୀମାରେ ପୁଣି ଟ୍ରେନ ଟ୍ରାଜେଡି: ୬ ମୃତ, ୨୫ ଆହତ

ଓଡ଼ିଶା ସୀମାରେ ପୁଣି ଟ୍ରେନ ଟ୍ରାଜେଡି ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି।

ପିଏମଙ୍କ ଶୋକ ପ୍ରକାଶ; ହେଲ୍ପଲାଇନ ନମ୍ବର ଜାରି

ବିଶାଖାପାଟଣା: ଓଡିଶା ସୀମାରେ ପୁଣି ଘଟିଛି ଟ୍ରେନ ଟ୍ରାଜେଡି। ଗତ ଜୁନ ୨ ତାରିଖରେ ଓଡ଼ିଶାର ବାଲେଶ୍ୱରରେ ଏକ ବିଶାଳ ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୩୦୦ ଲୋକ ପ୍ରାଣ ହରାଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ। ସେହି ଘଟଣାରେ ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଅଟକି ରହିଥିବା ଏକ ମାଲବାହୀ ଟ୍ରେନକୁ କରୋମଣ୍ଡଳ ଏକ୍ସପ୍ରେସ ଧକ୍କା ଦେଇଥିଲା। ଏହି ଟ୍ରେନ ଟ୍ରାଜେଡି ମନରୁ ନ ଲିଭୁଣୁ ଆଜି ପୁଣି ଏକ ଟ୍ରେନ ଦୁର୍ଘଟଣା ସାମନାକୁ ଆସିଛି।

ରବିବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବାଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଧକ୍କା ଏତେ ତୀବ୍ରତାର ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଏହା ସହ ବେସରକାରୀ ସୂତ୍ରରୁ ୧୫ରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବିଜୟନଗରମ୍ ଜିଲ୍ଲାର କୋଥାଭାଲାସା ମଣ୍ଡଳର କଣ୍ଟାକାପଲ୍ଲୀରେ ଏହି ଘଟଣା ଘଟିଛି। ୦୮୫୦୪ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ୦୮୫୩୨ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ସହ ଧକ୍କା ହୋଇଥିଲା। ଯାତ୍ରୀବାହୀ ଟ୍ରେନଟି ବିଶାଖାପାଟଣାରୁ ରାୟଗଡ଼ା ଅଭିମୁଖେ ଯାଉଥିଲା। ପଲାସା ଟ୍ରେନକୁ ପଛରୁ ରାୟଗଡା ଯାଉଥିବା ପାସେଞ୍ଜର ଧକ୍କା ଦେଇଥିଲା। ପଲାସାର ଦୁଇଟି ବଗି ମେନ୍ ଲାଇନରେ ପଡିଥିବା ବେଳେ ଏକ ମାଲବାହୀ ଟ୍ରେନ ଆସି ଧକ୍କା ଦେଇଥିଲା। ଯାହା ଫଳରେ ବିଶାଖାପାଟଣା-ରାୟଗଡ଼ା ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସିଗନାଲ ଓଭରସୁଟିଂରୁ ଦୁର୍ଘଟଣା ହୋଇ ଥାଇପାରେ। ତ୍ୱରିତ ବେଗରେ ଉଦ୍ଧାରକାର୍ଯ୍ୟ ଚାଲିଛି ବୋଲି ରେଳ ସିପିଆରଓ କହିଛି।

ସ୍ଥାନୀୟ ପ୍ରଶାସନ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)କୁ ଖବର ଦିଆଯିବା ସହ ସହାୟତା ଓ ଆମ୍ବୁଲାନ୍ସ ଯୋଗାଇ ଦେବା ସହ ଦୁର୍ଘଟଣା ରିଲିଫ ଟ୍ରେନ୍ ଘଟଣାସ୍ଥଳରେ ପହଂଚିଛି। ଦୁର୍ଘଟଣାସ୍ଥଳରେ ସହାୟତା ପାଇଁ ଭୁବନେଶ୍ୱରରୁ ଓ ରାୟଗଡ଼ାରୁ ୫୦ ଜଣିଆ ଟିମ୍ ମଧ୍ୟ ରେଳ ବିଭାଗର ଉଦ୍ଧାରକାରୀ ଦଳ ଯାଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାର୍ଯ୍ୟରେ ୧୪ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି। ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ ନମ୍ବର- 0674-2301625, 230125, 2303069 ବିଶାଖାପାଟଣା ଷ୍ଟେସନ ନମ୍ବର- 0891-2746330, 8106053052 ବିଶାଖାପାଟଣା କୋଚିଂ କଣ୍ଟ୍ରୋଲ ନମ୍ବର- 8978080939 ରାୟଗଡା ହେଲ୍ପଲାଇନ ନମ୍ବର- 9439741071, 7326812986 ।

ଏହି ଘଟଣାରେ ରେଳମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଘଟଣାରେ ମୃତକଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି। ଏହା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମହୋନ ରେଡ୍ଡୀଙ୍କ ସହ କଥା ହୋଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।