ଦୁର୍ଘଟଣାସ୍ଥଳ ଗଲେ ରାଜସ୍ୱ ମନ୍ତ୍ରୀ: ୪୫ ଟ୍ରେନ ବାତିଲ

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଆନ୍ଧ୍ର ରେଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଲୋକୋ ପାଇଲଟ, ଗାର୍ଡ ମୃତ; ୧୪କୁ ବୃଦ୍ଧି ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର, ୩୦.୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଆନ୍ଧ୍ର ରେଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲରେ ଆହତଙ୍କୁ ଭେଟିବାକୁ ସେ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଏସଆରସି ମଧ୍ୟ ମନ୍ତ୍ରୀଙ୍କ ସହ ରହିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ କାଲି ମୁଖ୍ୟମନ୍ତ୍ରୀ ରେଳ ଦୁର୍ଘଟଣାରେ କିଛି ଯାତ୍ରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ ଏବଂ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଏସଆରସି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଆନ୍ଧ୍ର ରେଳ ଦୁର୍ଘଟଣା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୪୫ଟି ଟ୍ରେନ୍ ମଧ୍ୟ ବାତିଲ ହୋଇଛି। ୬ଟି ଟ୍ରେନର ଛାଡିବା ସମୟରେ ପରିବର୍ତ୍ତନ ହୋଇଛି। ଅପରାହ୍ନ ୪ଟା ସୁଦ୍ଧା ଟ୍ରେନ ଟ୍ରାକ ମରାମତି କାମ ସରିବ। ଚେନ୍ନାଇ-ପୁରୀ ଏକ୍ସପ୍ରେସ୍, ତିରୁପତି-ବିଶାଖାପାଟଣା ପାସେଞ୍ଜର, ଭୁବନେଶ୍ବର-ବିଶାଖାପାଟଣା ଇଣ୍ଟରସିଟି, ରାୟପୁର-ବିଶାଖାପାଟଣା, ପଲାସା-ବିଶାଖାପାଟଣା, ପାରାଦ୍ଵୀପ-ବିଶାଖାପାଟଣା ଓ ରାୟଗଡା-ଗୁଣପୁର ଟ୍ରେନ ବାତିଲ ହୋଇଛି। ୪୧ଟି ଟ୍ରେନର ଗତିପଥ ପରିବର୍ତ୍ତନ ବା ସାମାନ୍ୟ ବାତିଲ ହୋଇଛି। ୬୦୦ରୁ ୮୦୦ ଲୋକ ଟ୍ରାକ ମରାମତି କାମରେ ଲାଗିଛନ୍ତି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ଟ୍ରେନ ଗଡିବ।

ବର୍ତ୍ତମାନ ସୁଦ୍ଧା ଲୋକୋ ପାଇଲଟ ଏସ୍ଏସ୍ଏସ୍ ରାଓ ଓ ଗାର୍ଡ ଏମ୍ ଶ୍ରୀନିବାସଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୨ ଆହତ ହୋଇଥିବା ସୂଚନା ମିଳିଛି। ୫୨ ମୃତକଙ୍କ ମଧ୍ୟରୁ ୨୯ ଜଣ ଡିସଚାର୍ଜ ହୋଇଥିବା ବେଳେ ୨୩ ଜଣ ଚିକିତ୍ସାଧିନ ଅଛନ୍ତି। ୧୪ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି। ପରିଚୟ ମିଳିଥିବା ୧୧ ଜଣଙ୍କ ମଧ୍ୟରୁ କେହି ବି ଓଡିଶାର ନୁହନ୍ତି। ଏ ବିଷୟରେ ବିଜୟନଗରମ ଏସପି ଦୀପିକା ସୂଚନା ଦେଇଛନ୍ତି।