ନବୀନ ଓଡିଶାର ପରିଚୟ ନେଇ ପ୍ରତି ଗାଁ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ

ବାଲେଶ୍ୱରର ୮ଟି ନିର୍ବାଚନମଣ୍ଡଳୀ ପାଇଁ 178 କୋଟି ଏବଂ ବଲାଙ୍ଗୀରର ୫ଟି ନିର୍ବାଚନ ମଣ୍ଡଳୀ ପାଇଁ 158.50 କୋଟି।

ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ

ଭୁବନେଶ୍ବର,୩୧.୧୦: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା।

ଏଥିପାଇଁ ବାଲେଶ୍ୱର ଜିଲ୍ଲାର ୮ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୭୮ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା–ରେମୁଣା, ଭୋଗରାଇ, ଜଳେଶ୍ୱର, ବାଲେଶ୍ୱର, ସିମୁଳିଆ, ବସ୍ତା, ସୋର ଓ ନୀଳଗିରି। ଏହିସବୁ ନିର୍ବାଚନମଣ୍ଡଳୀର ୧୨ଟି ବ୍ଲକ୍‌‌ର ୩୫୬ଟି ଗ୍ରାମ ପଞ୍ଚାୟତରେ ୪୪୬୫ଟି ପ୍ରକଳ୍ପ ହେବ। ସେହିପରି ବଲାଙ୍ଗୀର ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୫୮.୫୦ କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା– ବଲାଙ୍ଗୀର, ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି ଓ ଲୋଇସିଙ୍ଗା। ଏଥିରେ ୧୪ଟି ବ୍ଲକ୍‌ର ୩୧୭ଟି ଗ୍ରାମପଞ୍ଚାୟତରେ ୩୯୧୧ଟି ପ୍ରକଳ୍ପ କରାଯିବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା। ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ, ଦକ୍ଷତା ବିକାଶ କେନ୍ଦ୍ର,କାର୍ଯ୍ୟସ୍ଥଳୀ ହେବ ଓ ବ୍ୟାଙ୍କିଙ୍ଗ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ସ୍କୁଲଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ବାଲେଶ୍ୱର ଜିଲ୍ଲାର ୮ଟି ଓ ବଲାଙ୍ଗୀର ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବ। ଗ୍ରାମାଞ୍ଚଳର ନୂଆ ରୂପ ଓଡିଶା ରୂପାନ୍ତରର ହେବ ପ୍ରକୃତ ଚିତ୍ର। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ବାଲେଶ୍ୱର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୬୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରେମୁଣା ବହୁମୁଖୀ କମ୍ୟୁନିଟି ହଲ୍‌, କଣ୍ଟିଆଚୋରା ନଦୀର ପୁନରୁଦ୍ଧାର, କ୍ଷୀରଚୋରା ଗୋପିନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଆଉ କେତେକ ସ୍କୁଲ ଓ କଲେଜର ରୂପାନ୍ତର। ସେହିପରି ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୩ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ଚନ୍ଦନେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ, ରଣସିଂହପୁର ଆଶ୍ରମ ସ୍କୁଲର ଉନ୍ନତୀକରଣ, ବାସୁଳୀ ମା’ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଗ୍ରାମୀଣ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ରୂପାନ୍ତର। ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ଜଳେଶ୍ୱର ପୌରାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଏକ ସ୍କେଟିଙ୍ଗ ରିଙ୍ଗ୍‌। ଏହା ଦ୍ୱାରା ଜିଲ୍ଲାରେ କ୍ରୀଡାର ବିକାଶରେ ଏକ ନୂଆ ଫର୍ଦ୍ଦ ଯୋଡି ହେବ। ଏହା ସହିତ ସିଦ୍ଧେଶ୍ୱର କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ, ଦିନକୃଷ୍ଣ କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ଏବଂ ଜଳେଶ୍ୱର ମହିଳା କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ। ସେହିପରି ସୋର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୯୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହନାଗା ହାଇସ୍କୁଲର ନିର୍ମାଣ ଓ ଅଧୁନିକୀକରଣ ଏବଂ ବାହାନଗା ଗ୍ରାମପଞ୍ଚାୟତକୁ ଏକ ମଡେଲ ପଞ୍ଚାୟତ ଭାବେ ନିର୍ମାଣ, ବାହାନଗା ପ୍ରାଥମିକ ଚିକିତ୍ସାଳୟକୁ ‘ଆମ ହସ୍ପିଟାଲ’ ଭାବେ ଉନ୍ନତୀକରଣ, ଏହା ସହିତ ଦୁଇଟି ବୃହତ ସେତୁ ଏବଂ ୩ଟି ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ। ବସ୍ତା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୭ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୨.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହରଦା ମାଛ ମାର୍କେଟର ଉନ୍ନତୀକରଣ, ଜଳକା ଡ୍ରେନେଜ୍ ସିଷ୍ଟମର ଉନ୍ନତୀକରଣ, ଡଗର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସେତୁ, ସ୍କୁଲ ଓ କଲେଜ। ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୮.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚାନ୍ଦିପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ଝାଡେଶ୍ୱର ମନ୍ଦିର, ଫକିରମୋହନ କଲେଜ, ବଳାଙ୍ଗି କଲେଜ ଓ ନୀଳମଣି କଲେଜ। ସେହିପରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୦୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠର ଉନ୍ନତୀକରଣ, ନୀଳଗିରି ରିସିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଖୁମୁକୁଟ ଜଳପ୍ରକଳ୍ପ, ନୀଳଗିରି ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ଏବଂ କେତେକ ସ୍କୁଲ ଓ କଲେଜ। ସେହିପରି ସିମୁଳିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ସିନ୍ଧୁଆ ଡ୍ୟାମଠାରେ ଏକ ପର୍ଯ୍ୟଟନ କେନ୍ଦ୍ର, କୁପାରୀ ଏମ୍ଏସ୍ଇ ପାର୍କ, କୁପାରୀ ଏସଟି ହଷ୍ଟେଲ, ଅନେକ ସେତୁ ଓ ସିମୁଳିଆଠାରେ ନଦୀବନ୍ଧର ଉନ୍ନତୀକରଣ। ତେବେ ବାଲେଶ୍ୱର ୫୯ ପ୍ରକଳ୍ପ ପାଇଁ ୨୨୪.୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୪ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୮.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ତୁସୁରାଠାରେ ଏୟାର ଷ୍ଟ୍ରିପ୍, ୨ଟି ମେଗା ଲିଫ୍ଟ ପ୍ରକଳ୍ପ, ତୁସୁରା ସମଲାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ ଓ କଲେଜ। ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୧ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୧୪.୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ହରିଶଙ୍କର ମନ୍ଦିର ଉନ୍ନତୀକରଣରେ କେତେକ ନୂତନ ପ୍ରକଳ୍ପ ଯଥା :- ନୂଆ ପ୍ରବେଶ ପଥ, ଚେକ ଡ୍ୟାମ୍, କଲଭର୍ଟ, ପୋଲିସ ଆଉଟପୋଷ୍ଟ ଇତ୍ୟାଦି, ଖପ୍ରାଖୋଲରେ ଏକ ନୂଆ ସଡକ ଏବଂ କେତେକ କଲେଜ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ସମଲେଇଙ୍କ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ ଗ୍ରାଉଣ୍ଡର ବିକାଶ, ଚାନ୍ଦିଲି ପାହାଡ ପର୍ଯ୍ୟଟନ ପ୍ରକଳ୍ପ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ସ୍କୁଲ ଓ କଲେଜ, ଲୋୟର ସୁକତେଲ କଲୋନୀରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର, ବଲାଙ୍ଗୀର ଚର୍ଚ୍ଚର ଉନ୍ନତୀକରଣ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାଣିପୁର ଝରିଆଲ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ୩ଟି ଡିଗ୍ରୀ କଲେଜର ଉନ୍ନତୀକରଣ। ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧ କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଯୋଗେଶ୍ଵର ମନ୍ଦିର, ସ୍ୱାଧୀନତା ସଂଗ୍ରାମୀ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ଏକ ଐତିହ୍ୟ କେନ୍ଦ୍ର ସ୍ଥାପନ ଏବଂ ୩ଟି ଡିଗ୍ରୀ କଲେଜ। ଏହିପରି ବଲାଙ୍ଗୀର ଜିଲ୍ଲାରେ ୩୨ଟି ପ୍ରକଳ୍ପ ପାଇଁ ୨୩୪.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ଶ୍ରୀ ଅଶ୍ୱିନୀ ପାତ୍ର, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀମତୀ ଟୁକୁନି ସାହୁ, ବିଧାୟକ ଶ୍ରୀ ଅନନ୍ତ ଦାସ, ଶ୍ରୀ ନିତ୍ୟାନନ୍ଦ ସାହୁ, ଶ୍ରୀ ସ୍ୱରୂପ ଦାସ, ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଶ୍ରୀ ସରୋଜ ମେହେରଙ୍କ ସମେତ ଜିଲ୍ଲା ପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।