ଡିସେମ୍ବର ୧୫ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ଭୋର ସାଢେ ଚାରିରୁ ସମୀକ୍ଷା କଲେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ।

୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ୦୪/୧୧/୨୩: ନବୀନ ଓଡିଶା ଓ ୫-ଟି ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ବଡିଭୋରରୁ ପୁରୀ ଯାଇ ୪.୩୦ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ 5T ଓ ନବୀନ ଓଡିଶା ଅଧକ୍ଷ ନିର୍ଦ୍ଦେଶ ଦେଇଥିଲେ।

ପୁନରୁଦ୍ଧାର ସମୟରେ ମଠଗୁଡିକର ଇତିହାସ ଓ ପରମ୍ପରାକୁ ଗୁରୁତ୍ଵ ଦେଇ ସମସ୍ତ ଭାଗୀଦାରମାନଙ୍କ ସହଯୋଗରେ କାମ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ।

ପରିକ୍ରମା ଳପ୍ରକଳ୍ପ ଲ୍ୟାଣ୍ଡସ୍କେପିଂ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ। ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ମନ୍ଦିରର କ୍ଷୁଦ୍ର ପ୍ରତିକୃତି ନିର୍ମାଣ କରିବା ପାଇଁ ମଧ୍ଯ ସେ ପରାମର୍ଶ ଦେଇଥିଲେ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀ ମାନେ ଯେପରି ସ୍ବଚ୍ଛନ୍ଦରେ ମନ୍ଦିରରେ ପହଞ୍ଚି ପାରିବେ ସେଥିପାଇଁ ମନ୍ଦିର ସଂଯୁକ୍ତ ରାସ୍ତାକୁ ଅବରୋଧ ମୁକ୍ତ ରଖିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ।

ସ୍ଥାନୀୟ ଲୋକ ତଥା ସେବାୟତ ମାନଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ଏତଦବ୍ୟତୀତ ମେଘନାଦ ପାଚେରୀ ପାଖରୁ ବିଭିନ୍ନ ୟୁଟିଲିଟିଗୁଡିକର ସ୍ଥାନାନ୍ତର, ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ।

ଜଗନ୍ନାଥ ବଲ୍ଳଭ ପାର୍କିଂ କାମ ସହ ଯାତ୍ରୀ ମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧାର ବିକାଶ, ପ୍ରମୋଦ ଉଦ୍ୟାନ, ଓ ଶ୍ରୀ ସେତୁ କାମର ଅଗ୍ରଗତି ମଧ୍ଯ ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ, SP OBCC MD ଏବଂ ବିଭିନ୍ନ କାର୍ଯ୍ୟନିର୍ବାହୀ ଏଜେନ୍ସିର ଅଧିକାରୀ ମାନେ ଉପସ୍ଥିତ ଥିଲେ।