ହୋଟେଲରେ ବିଏମସିର ଚଢାଉ: ନଷ୍ଟ ହେଲା ବାସି ଖାଦ୍ୟ

ଭୁବନେଶ୍ୱରରେ ବିଭିନ୍ନ ହୋଟେଲମାନଙ୍କରେ ବିଏମସି ହଠାତ ଚଢାଉ କରିଛି।

ମାନ ଯାଞ୍ଚ ପାଇଁ ଲ୍ୟାବକୁ ପଠାଗଲା ଖାଦ୍ୟ

ଭୁବନେଶ୍ବର, ୦୮/୧୧/୨୩: ଆଜି ଭୁବନେଶ୍ୱରରେ ବିଭିନ୍ନ ହୋଟେଲମାନଙ୍କରେ ଚଢାଉ କରିଛି ବିଏମସିର ଖାଦ୍ୟ ନିରାପତ୍ତା ଟିମ୍। ବିଭିନ୍ନ ସମୟରେ ବିଭିନ୍ନ ହୋଟେଲରେ ଖାଦ୍ୟର ମାନ ପରୀକ୍ଷଣ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମସି)ର ଖାଦ୍ୟ ନିରାପତ୍ତା ଟିମ୍ ସହରର ବିଭିନ୍ନ ସ୍ଥାନରେ ଥିବା ହୋଟେଲର ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଅତର୍କିତ ଚଢାଉ କରାଯାଉଛି। ଆଜି ରୁଦ୍ରପୁର, ହଂସପାଳ, ଜୟଦେବ ବିହାର ଓ ନୟାପଲ୍ଲୀ ଅଞ୍ଚଳରେ ବିଏମ୍ସି ପକ୍ଷରୁ ଚଢ଼ାଉ କରାଯାଇଛି।

ହୋଟେଲରେ ଥିବା ଖାଦ୍ୟକୁ ନେଇ ପରିଷ୍କାର ଓ ପରିଚ୍ଛନ୍ନତା ଯାଞ୍ଚ କରୁଛି ବିଏମସି ଟିମ୍। ସିନ୍ଥେଟିକ୍ ଖାଦ୍ୟ ରଙ୍ଗ ଓ ବାସି ଖାଦ୍ୟ ସାମଗ୍ରୀ ନଷ୍ଟ କରାଯାଇଛି। ଅପରିଷ୍କାର ପରିବେଶ ପାଇଁ ଜରିମାନା ଆଦାୟ କରାଯିବା ସହ ଖାଦ୍ୟର ନମୁନା ପରୀକ୍ଷା ପାଇଁ ଲ୍ୟାବ୍ରୋଟରୀକୁ ପଠାଯାଇଛି।

ପୂର୍ବରୁ ସ୍ୱଚ୍ଛତା ବଜାୟ ରଖିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ କୌଣସି ସୁଧାର ଆସିନଥିଲା। ବିଏମସି କହିଛି ଯେ, ଦୋକାନର ୫ ମିଟର ଦୂରତା ପର୍ଯ୍ୟନ୍ତ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ କୁହାଗଲେ ମଧ୍ୟ କେହି ମାନୁ ନାହାନ୍ତି। ସମସ୍ତ ଅଳିଆ ଆବର୍ଜନାକୁ ଡଷ୍ଟବିନରେ ପୂରାଇ ବିଏମସି ସଫେଇ ଗାଡିରେ ଦେବା ପାଇଁ ଅନୁରୋଧ କରିଛୁ।