ହସ୍ପିଟାଲ ବେଡ୍‌ ୫୦ ହଜାରକୁ ବଢ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟର ସବୁ ସରକାରୀ ମେଡିକାଲରେ ବେଡ୍‌ ସଂଖ୍ୟା ବଢିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

୧୫୪୨କୁ ବଢିବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଂଖ୍ୟା

ଭୁବନେଶ୍ବର, ୧୧/୧୧/୨୩: ପ୍ରତ୍ୟେକ ଲୋକ ପାଇବେ ଉତ୍ତମ ଚିକିତ୍ସା। କେହି ବି ଡାକ୍ତରଖାନାରେ ବେଡ ନ ପାଇ ଜୀବନ ସହ ସଂଘର୍ଷ କରିବେ ନାହିଁ। ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସରକାରଙ୍କ ଯୋଜନା ଅନୁଯାୟୀ ଆଇପିଏଚ୍ଏସ୍ ୨୦୨୨ ନିୟମ ଅନୁଯାୟୀ ପର୍ଯ୍ୟାୟକ୍ରମେ ସରକାରୀ ମେଡିକାଲ ଓ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ଏବେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ରାଜ୍ୟରେ ମୋଟ ୨୮ ହଜାର ବେଡ୍‌ ଅଛି। ହସ୍ପିଟାଲ ବେଡ୍‌ ସଂଖ୍ୟା ୪୫ରୁ ୫୦ ହଜାରକୁ ବଢାଇବାକୁ ଯୋଜନା କରାଯାଇଛି।

ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ୨୪ ଘଣ୍ଟିଆ ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏବେ ୧୨୩୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ଆଉ ୩୦୬ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାକୁ ସରକାର ଯୋଜନା କରିଛନ୍ତି। ସେହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ ଘଣ୍ଟିଆ ସେବା ପାଇଁ ୬ଟି ଲେଖାଏଁ ବେଡ୍‌ ରହିବା ସହ ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩୦ଟି ବେଡ୍ ରହିବ। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩୦୦ ଲେଖାଏଁ ବେଡ୍‌ ପାଇଁ କାମ ଚାଲିଛି। ସେହି ଅନୁଯାୟୀ ହସ୍ପିଟାଲ ଓ ମେଡିକାଲ କଲେଜ ସହ ଡାକ୍ତର ସଂଖ୍ୟା ବୃଦ୍ଧି କରାଯିବ।