କ୍ୟାବିନେଟ ବୈଠକରେ ଏକାଧିକ ପ୍ରକଳ୍ପକୁ ମଞ୍ଜୁରୀ

ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟରେ ଏକାଧିକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଞ୍ଜୁରୀ ମିଳିଛି।

ଆସିଲା ‘ଆମ ହସପିଟାଲ’ ଯୋଜନା

ଭୁବନେଶ୍ବର, ୧୪/୧୧/୨୦୨୩: ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଛି। ଅନେକ ଯୋଜନାକୁ ଆଜି କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଞ୍ଜୁରୀ ମିଳିଛି। କଟକ-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ଫେଜ-୧ ଡିପିଆରକୁ ମଞ୍ଜୁରୀ ମିଳିଛି। ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ୪ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏୟାରପୋର୍ଟରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ। ଓଭରବ୍ରିଜ୍ ଉପରେ ସମସ୍ତ ଷ୍ଟେସନ ଓ ରେଳ ଧାରଣା ରହିବ। ଏହି ରେଳରେ ଅତ୍ୟାଧୁନିକ କୋଚ, ଟିକେଟ ଓ ସିଗନାଲ ବ୍ୟବହାର କରାଯିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ୱାରା ନିର୍ମାଣ କାର୍ଯ୍ୟ ପାଇଁ ନିଷ୍ପତ୍ତି ନିଆଯାଇଛି।

ସେହିପରି 5-ଟି ଅଧିନରେ ଏକ ନୂଆ ଯୋଜନା ‘ଆମ ହସପିଟାଲ’କୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ମଞ୍ଜୁରୀ ମିଳିଛି। ‘ଆମ ହସପିଟାଲ’ ଯୋଜନାରେ ସମସ୍ତ ଡାକ୍ତରଖାନା ତଥା ଜିଲ୍ଲା, ଉପଖଣ୍ଡ, ଗୋଷ୍ଠୀ ଓ ପ୍ରାଥମିକ ଚିକିତ୍ସାଳୟର ରୂପାନ୍ତରଣ କାର୍ଯ୍ୟ କରାଯିବ। ୫ ବର୍ଷ ପାଇଁ ଆମ ହସପିଟାଲରେ ୩୩୮୮ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ଋଷିକୁଲ୍ୟା ନଦୀରେ ବ୍ୟାରେଜ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାନିବିଲିଠାରେ ହେବ ବ୍ୟାରେଜ।

ବ୍ରହ୍ମପୁରରେ ରିଂ ରୋଡ ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍ ପକ୍ଷରୁ ଅନୁମୋଦନ ମିଳିଛି। ଏହି ରିଂ ରୋଡ ପାଇଁ ୧୫୬ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ରିଂ ରୋଡ଼ ନିର୍ମାଣ କାର୍ଯ୍ୟ ୨ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଭୁବନେଶ୍ବରରେ ପରିବହନ ଏବଂ ବିତରଣ ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ଓପିଟିସିଏଲ୍ ଦ୍ୱାରା ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା କାର୍ଯ୍ୟକାରୀ ହେବାକୁ ଥିବା ସିଏମପିଡିପି ଅଧୀନରେ ରାଜ୍ୟ କ୍ୟାପିଟାଲ ରିଜିଅନ୍ ଇମ୍ପ୍ରୋଭମେଣ୍ଟ ଇନ୍ ପାୱାର ସିଷ୍ଟମ୍ (ଏସସିଆରଆଇପିଏସ୍) ଯୋଜନା ସମ୍ପର୍କରେ ଅତିରିକ୍ତ ୪୬୯.୩୯ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ଆବଶ୍ୟକତା ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।ଜିଆଇଏସ୍ ଜ୍ଞାନକୌଶଳରେ ଗ୍ରିଡ୍ ଓ ପ୍ରାଥମିକ ସବ୍ ଷ୍ଟେସନ୍ ନିର୍ମାଣ, ୟୁଜି କେବଲିଂ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ବୈଶିଷ୍ଟ୍ୟ ଯଥା ସ୍କାଡା, ସ୍ମାର୍ଟ ଗ୍ରିଡ୍ ଇତ୍ୟାଦି ଏହି ଯୋଜନା ଅଧୀନରେ କାର୍ଯ୍ୟ ପରିସର ରହିଛି। ବର୍ତ୍ତମାନ ଏହି ଯୋଜନା ଅଧୀନରେ କିଛି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ କିଛି କାର୍ଯ୍ୟକାରୀ ହେଉଛି।

ବଲାଙ୍ଗୀର ଜିଲ୍ଲା ସଇନ୍ତଳାରେ ଦୁଇଟି ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛି। ୩୦୭.୮୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ବ୍ଲକର ୨୦ଟି ଗ୍ରାମ ପଞ୍ଚାୟତର ୧୧୬ଟି ଗ୍ରାମର ୯୪,୫୫୦ରୁ ଅଧିକ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି।