ନନ୍ଦନକାନନରେ ରୋପୱେରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିପାରିବେ ପର୍ଯ୍ୟଟକ

ନନ୍ଦନକାନନରେ ରୋପୱେ ପ୍ରକଳ୍ପର ଆଜି ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ।

ଉଦଘାଟନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ବର,୧୭/୧୧/୨୩: ନନ୍ଦନକାନନର ବହୁ ପ୍ରତୀକ୍ଷିତ ରୋପୱେ ପ୍ରକଳ୍ପର ଆଜି ଉଦଘାଟନ ହୋଇଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଉଦଘାଟନ କରିଛନ୍ତି। ଆସନ୍ତାକାଲିଠାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକମାନେ ଆକାଶମାର୍ଗରୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିପାରିବେ।

ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ମୁଣ୍ଡ ପିଛା ୧୨୦ ଟଙ୍କା ମୂଲ୍ୟରେ ଏହି ରୋପୱେ ସେବା ଉପଲବ୍ଧ ହେବା ସହ ସ୍ୱତନ୍ତ୍ର କାଉଣ୍ଟରରେ ଏଥିପାଇଁ ଟିକେଟ ବୁକ୍ କରିବାକୁ ପଡିବ। କେବଳ ରବିବାର ବ୍ୟତୀତ ଅନ୍ୟ ଦିନ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହାର ଉପଭୋଗ ନେଇ ପାରିବେ ପର୍ଯ୍ୟଟକ।

ଚିଡ଼ିଆଖାନା ପରିସରରୁ ଏହି ରୋପୱେ ଆରମ୍ଭ ହୋଇ କାଞ୍ଜିଆ ହ୍ରଦ ଉପରେ ୬୨୬ ମିଟର ଲମ୍ବ ଅତିକ୍ରମ କରି ବଟାନିକାଲ ଗାର୍ଡେନରେ ଶେଷ ହେବ। ଗୋଟିଏ ଥରରେ ୭୨ ଜଣ ପର୍ଯ୍ୟଟକ ଏହି ରୋପୱେ ସୁବିଧା ପାଇପାରିବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।