ବିଧାନସଭା ସମ୍ମୁଖରେ ଧାରଣା ଦେବେ ଘରୋଇ ବସ୍ ମାଲିକ ସଂଘ

ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଆସନ୍ତା ୨୨ ତାରିଖରେ ଘରୋଇ ବସ୍ ମାଲିକ ସଂଘ ବିଧାନସଭା ସମ୍ମୁଖରେ ଧାରଣା ଦେବେ।

ସଂଘର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର,୨୦/୧୧/୨୩: ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ। ଏହା ଭିତରେ ବିଧାନସଭା ସମ୍ମୁଖରେ ଧାରଣା ଦେବା ପାଇଁ ନିଷ୍ପତ୍ତି ନେଇଛି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ। ସଂଘ ପକ୍ଷରୁ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଆସନ୍ତା ୨୨ ତାରିଖରେ ବିଧାନସଭା ସମ୍ମୁଖରେ ଧାରଣା ଦେବେ।

ପ୍ରାୟ ୧୦୦ ବସ୍ ମାଲିକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ସଂଘର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଘରୋଇ ପରିବହନ ବ୍ୟବସ୍ଥା ପ୍ରତି ସରକାର ଅବିଚାର କରୁଥିବା ଅଭିଯୋଗ କରିଛନ୍ତି ବସ ମାଲିକ।

ଲକ୍ଷ୍ମୀ ଯୋଜନାରେ ବ୍ଲକରୁ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ବସ୍ ଚଳାଚଳ କରିବା ଫଳରେ ଘରୋଇ ବସ୍ ମାଲିକଙ୍କ ବ୍ୟବସାୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ସେମାନେ କହିଛନ୍ତି। ଅତିରିକ୍ତ ଏମଭି ଟିକସ ଛାଡ଼ କରିବା ସହ ଉଭୟ ଘରୋଇ ଓ ସରକାରୀ ବସ୍ ପାଇଁ ସମାନ ଭଡ଼ା ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି। ସେହିଭଳି କୌଣସି କାର୍ଯ୍ୟକ୍ରମ ପାଇଁ ରାଜନୈତିକ ଦଳଗୁଡ଼ିକୁ ଘରୋଇ ବସ୍ ଯୋଗାଇ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।