ଜନ୍ମଭୂମିରେ ମହାମହିମ: ସାନ୍ତାଳୀ ଭାଷାରେ ଦେଲେ ଭାଷଣ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।

ସାନ୍ତାଳୀ ଲେଖକ ସମାଜର ଦିଗଦର୍ଶକ: ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର,୨୦/୧୧/୨୩: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ମୁର୍ମୁଙ୍କ ଦ୍ୱିତୀୟ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୋମବାର ନିଜ ଜନ୍ମଭୂମି ମୟୂରଭଞ୍ଜରେ ଯାଇ ପହଞ୍ଚିଛନ୍ତି। ବାରିପଦାର ସହିଦ ସ୍ମୃତି ଭବନରେ ଆୟୋଜିତ ‘ଅଖିଳ ଓଡ଼ିଶା ସାନ୍ତାଳି ଆସୋସିଏସନ୍’ର ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ବାର୍ଷିକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବର ଉଦଘାଟନୀ ଅଧିବେଶନରେ ଯୋଗ ଦେଇଛନ୍ତି। ଏହି ଅଧିବେଶନରେ ରାଜ୍ୟପାଳ ରଘୁବର ଦାସ, ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ସୁଦାମ ମାର୍ଣ୍ଡି ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ରାଷ୍ଟ୍ରପତି ସାନ୍ତାଳୀ ଭାଷାରେ ଉଦବୋଧନ ଦେବା ସହ ସାନ୍ତାଳୀ ଭାଷାକୁ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଛନ୍ତି ଏବଂ ସାନ୍ତାଳୀ ଭାଷା ସାହିତ୍ୟରେ ଯଥେଷ୍ଟ ଅବଦାନ ପାଇଁ ଲେଖକମାନଙ୍କୁ ପ୍ରଶଂସା କରିଛନ୍ତି। ମହାମହିମ ଉଦବୋଧନରେ କହିଛନ୍ତି, ସାନ୍ତାଳୀ ଭାଷା ଲେଖକମାନେ ସମାଜକୁ ଏକ ନୂଆ ଦିଗଦର୍ଶନ ଦେଇଛନ୍ତି। ସାନ୍ତାଳୀ ସଙ୍ଗୀତ ସାହିତ୍ୟ ଖୁବ ସମୃଦ୍ଧ ଅଟେ। ସାନ୍ତାଳୀ ଭାଷାର ମୂଳଦୁଆ ହେଉଛି ଗୀତ ଓ କବିତା। ଯେଉଁ ଭାଷା ଶିଖନ୍ତୁ ନା କାହିଁକି, ନିଜ ମାତୃଭାଷାକୁ ଭୁଲନ୍ତୁ ନାହିଁ। ମାତୃଭାଷାର ପ୍ରସାର ପାଇଁ ଯଥେଷ୍ଟ ଅବଦାନ ରହିବା ଉଚିତ୍।

ସାନ୍ତାଳୀ ଲେଖକ ସମ୍ମିଳନୀ ଉଦଘାଟନୀ ଅଧିବେଶନରେ ଯୋଗ ଦେବା ପରେ ରାଷ୍ଟ୍ରପତି କୁଳିଆନାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୨୧ ତାରିଖରେ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମରେ ଏକ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରକୁ ଉଦଘାଟନ କରିବେ। ଏହାପରେ ସେ ବାଦାମପାହାଡ଼ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ ଏବଂ ୩ଟି ନୂଆ ଟ୍ରେନ୍ (ବାଦାମପାହାଡ଼-ଟାଟାନଗର ମେମୁ)କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ରାଇରଙ୍ଗପୁର ଡାକ ବିଭାଗର ସ୍ମାରକୀ ଉନ୍ମୋଚନ କରିବେ। ସେହିଦିନ ସନ୍ଧ୍ୟାରେ ହିଁ ରାଷ୍ଟ୍ରପତି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୧୫ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

ଓଡ଼ିଶା ଗସ୍ତର ଅନ୍ତିମ ଦିନ ଅର୍ଥାତ୍ ନଭେମ୍ବର ୨୨ ତାରିଖରେ ସମ୍ବଲପୁରର ବ୍ରହ୍ମକୁମାରୀମାନଙ୍କ ଦ୍ୱାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ – ନୂଆ ଭାରତ ପାଇଁ ନୂତନ ଶିକ୍ଷା ଅଭିଯାନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି। ଏହାପରେ ରାଷ୍ଟ୍ରପତି ପୁଟ୍ଟାପାର୍ଥି ଗସ୍ତ କରିବେ, ଯେଉଁଠାରେ ସେ ଶ୍ରୀ ସତ୍ୟ ସାଇ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ୪୨ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।