କାର୍ତ୍ତିକ ପୂର୍ଣ୍ଣିମାରେ ଶଙ୍ଖ ଧରିଲେ କାର୍ତ୍ତିକ

ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଭି. କାର୍ତ୍ତିକ ପାଣ୍ଡିଆନ।

ନେଲେ ନବୀନଙ୍କ ଆଶୀର୍ବାଦ

ଭୁବନେଶ୍ବର, ୨୭/୧୧/୨୩: ଅନ୍ତ ହେଲା ସବୁ କଳ୍ପନାଜଳ୍ପନା। ଆଜି ଯାଏ ଚାଲିଥିବା ସମସ୍ତ ଚର୍ଚ୍ଚାର ପଡ଼ିଲା ପୁର୍ଣ୍ଣଚ୍ଛେଦ। ୫-ଟିର ମଙ୍ଗ ଧରିଥିବା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଶଙ୍ଖର ମଙ୍ଗ ଧରିଛନ୍ତି। କାର୍ତ୍ତିକ ପୂର୍ଣ୍ଣିମାରେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଭି. କାର୍ତ୍ତିକ ପାଣ୍ଡିଆନ।

୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ତଥା ପୂର୍ବତନ ଆଇଏଏସ୍ ଅଫିସର ଭିକେ ପାଣ୍ଡିଆନ ଆଜି ଶାସକ ବିଜୁ ଜନତା ଦଳରେ ମିଶିବା ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି।

ଆଜି ସକାଳେ ନବୀନ ନିବାସରେ ଦଳର ବରିଷ୍ଠ ନେତାଙ୍କ ବୈଠକ ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ପାଣ୍ଡିଆନଙ୍କୁ ଦଳରେ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ପାଣ୍ଡିଆନ ଦୀର୍ଘ ବର୍ଷ ଧରି ଓଡ଼ିଶାବାସୀଙ୍କ ପାଇଁ କଠିନ ପରିଶ୍ରମ କରି ଆସୁଛନ୍ତି ଏବଂ ଭବିଷ୍ୟତରେ ଦଳର ସଦସ୍ୟ ଭାବେ ସେ ଏହା ଜାରି ରଖିବେ।

ଦଳରେ ଯୋଗଦେବା ପରେ ପାଣ୍ଡିଆନ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ମୁଁ ରାଜ୍ୟବାସୀଙ୍କ ପାଇଁ ଆନ୍ତରିକତା, ନିଷ୍ଠା ଓ ବିନମ୍ରତାର ସହ କାର୍ଯ୍ୟ କରିବି।

୨୦୦୦ ବ୍ୟାଚ୍ ର ଆଇଏଏସ୍ ଅଫିସର ପାଣ୍ଡିଆନ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ (୫ଟି) ଭାବେ କାର୍ଯ୍ୟ କରୁଥିଲେ ଏବଂ ୨୦୨୩ ଅକ୍ଟୋବର ୨୩ତାରିଖରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ପରଦିନ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ୫ଟି (ଟ୍ରାନ୍ସଫର୍ମେସନ୍ ଇନିସିଏଟିଭ୍ସ) ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ।

ପାଣ୍ଡିଆନ ଆଜି ଗଞ୍ଜାମ ଜିଲ୍ଲାର ତାରାତାରିଣୀ ପୀଠ ପରିଦର୍ଶନ କରି ଦେବୀଙ୍କ ଆଶୀର୍ବାଦ ନେବେ। ଅପରାହ୍ନରେ ସେ ତାରାତାରିଣୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।