ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫ଟି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।

ସମ୍ଭାବ୍ୟ ବାତ୍ୟାକୁ ନେଇ ତ୍ୱରିତ ପଦକ୍ଷେପ

ଭୁବନେଶ୍ବର, ୦୨/୧୨/୨୩: ଡିସେମ୍ବର ୨ରେ ଅବପାତର ରୂପ ନେଇଥିବା ଲଘୁଚାପ ଡିସେମ୍ବର ୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଡିସେମ୍ବର ୪ ତାରିଖ ସନ୍ଧ୍ୟା ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ଅତିକ୍ରମ କରି ଚେନ୍ନାଇ ଓ ମଛଲିପଟ୍ଟନମ୍ ମଝିରେ ବାତ୍ୟା ଛୁଇଁବ।

ପୁଡୁଚେରୀଠାରୁ ପ୍ରାୟ ୫୦୦ କିଲୋମିଟର, ଚେନ୍ନାଇଠାରୁ ୫୧୦ କିଲୋମିଟର, ନେଲ୍ଲୋରଠାରୁ ୬୩୦ କିଲୋମିଟର, ବାପାଟଲାଠାରୁ ୭୧୦ କିଲୋମିଟର ଦୂରରେ ରହିଛି।

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫ଟି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୫ଟି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ସାପ୍ତାହିକ ଛୁଟି ବାତିଲ କରାଯାଇଛି।  ଅଧିକାରୀମାନଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ଛୁଟି ବାତିଲ କରି ଯଥାଶୀଘ୍ର କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୩ରୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରା ଯାଇଥିବା ଜିଲ୍ଲାଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲା ରହିଛି।

ଏହା ବ୍ୟତୀତ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ହାଇ ଆଲର୍ଟରେ ରଖିଛନ୍ତି। ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ଭିତରକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।