ମୋହନ ଯାଦବ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ମୋହନ ଯାଦବ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ବିଧାୟକ ଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ, ୧୧/୧୨/୨୩: ମୋହନ ଯାଦବ ମଧ୍ୟପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ଆଜି ନିଷ୍ପତ୍ତି ନେଇଛି। ଉଜ୍ଜୈନରୁ ତିନି ଥର ବିଧାୟକ ହୋଇଥିବା ୫୮ ବର୍ଷୀୟ ଶ୍ରୀ ଯାଦବ ତାଙ୍କ ପୂର୍ବବର୍ତ୍ତୀ ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରିମଣ୍ଡଳରେ ଥିଲେ।

ଏହା ସହ ମଧ୍ୟପ୍ରଦେଶରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଦା ଓ ରାଜେନ୍ଦ୍ର ଶୁକ୍ଳା ରହିବେ। ରାଜ୍ୟ ନିର୍ବାଚନ ଲଢ଼ିଥିବା ପୂର୍ବତନ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟପ୍ରଦେଶର ବାଚସ୍ପତି ହେବେ। ବିଜେପିର ବିଧାୟକ ଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ମନୋନୀତ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ମୁଁ ଦଳର ଜଣେ ଛୋଟ କର୍ମୀ। ମୁଁ ଆପଣସମସ୍ତଙ୍କୁ, ରାଜ୍ୟ ନେତୃତ୍ୱ ଏବଂ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଉଛି। ଆପଣମାନଙ୍କ ଭଲପାଇବା ଓ ସମର୍ଥନରେ ମୁଁ ମୋଦାୟିତ୍ବ ନିର୍ବାହ କରିବାକୁ ଚେଷ୍ଟା କରିବି।

ନିକଟରେ ହୋଇଥିବା ୨୦୨୩ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ମୋହନ ଯାଦବ ଉଜ୍ଜୈନ ଦକ୍ଷିଣ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଚେତନ ପ୍ରେମନାରାୟଣ ଯାଦବଙ୍କ ଠାରୁ ୧୨,୯୪୧ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ସଫଳତାର ସହ ନିଜ ଆସନ ରକ୍ଷା କରିଥିଲେ। ଏହି ବିଜୟ ସହ ୯୫,୬୯୯ ଖଣ୍ଡ ଭୋଟ୍ ପାଇ ବିଧାୟକ ଭାବେ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇଥିଲେ।