ସନ୍ଦିଗ୍ଧ ଆତଙ୍କୀ ଇଶାନ ବୁଖାରୀଙ୍କୁ ରିମାଣ୍ଡରେ ନେବ ଓଡିଶା ଏସଟିଏଫ

ସୟଦ ଇଶାନ ବୁଖାରୀଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଦାବି କରିବ।

ଏବେ ରାଗଡି ସବ-ଜେଲରେ ଭର୍ତ୍ତି

ଭୁବନେଶ୍ୱର, ୧୭/୧୨/୨୩: ଜଣେ ଆର୍ମି ଡାକ୍ତର ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଭାବେ ପରିଚୟ ଦେଇଥିବା ସୟଦ ଇଶାନ ବୁଖାରୀଙ୍କୁ ଶୁକ୍ରବାର ଯାଜପୁର ଜିଲ୍ଲା ନେଉଳପୁରସ୍ଥିତ ତାଙ୍କ ଭଡ଼ା ଘରେ ଚଢ଼ଉ କରି ଏସ୍ ଟିଏଫ୍ ଗିରଫ କରିଛି। ସେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ଅଧିକାରୀଙ୍କ ସହଯୋଗୀ ଭାବରେ ନିଜର ନକଲି ପରିଚୟ ଦେଉଥିଲେ। ସେ ଏବେ ରାଗଡି ସବ-ଜେଲରେ ଅଛନ୍ତି।

ଗିରଫ ୩୭ ବର୍ଷୀୟ କଶ୍ମୀର ଠକ ସୟଦ ଇଶାନ ବୁଖାରୀଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଦାବି କରିବ ବୋଲି ଏସଟିଏଫ୍ ଏସ୍ ପି କିଶୋର କୁମାର ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏସପି କହିଛନ୍ତି ଯେ ସେମାନେ ଜମ୍ମୁ-କଶ୍ମୀର ଏବଂ ପଞ୍ଜାବର ସେମାନଙ୍କ ସମକକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ତାଙ୍କୁ ରିମାଣ୍ଡରେ ନେବା ପରେ ସେମାନେ ରାଜ୍ୟ ଗସ୍ତ କରି ତାଙ୍କୁ ପଚରାଉଚରା କରିପାରନ୍ତି। ତା’ର ଆତଙ୍କବାଦୀ ଲିଙ୍କ୍ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ଜମ୍ମୁ-କଶ୍ମୀର ପୁଲିସର ବିବରଣୀକୁ ଅପେକ୍ଷା କରିଛୁ। ୨୦୧୭ରେ ଜମ୍ମୁ-କଶ୍ମୀରରେ ଠକେଇ ଓ ଜାଲିଆତି ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା, ଯାହା ପରେ ସେ ଓଡ଼ିଶାରେ ଲୁଚି ରହିଥିଲେ। ଅଭିଯୁକ୍ତ ନିଜକୁ ଓଡ଼ିଶା, ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ ଓ କେରଳ ଭଳି ଦେଶର ବିଭିନ୍ନ ସ୍ଥାନରେ ନ୍ୟୁରୋସର୍ଜନ ବୋଲି ପରିଚୟ ଦେଇ ୬ରୁ ୭ ଜଣ ମହିଳାଙ୍କୁ ବିବାହ କରିଥିଲା। ସେ ୪-୫ଟି ସନ୍ତାନର ପିତା ମଧ୍ୟ ଥିଲେ ବୋଲି ଏସପି କହିଛନ୍ତି।

ଏହା ସହ ତାଙ୍କ ମୋବାଇଲ ଫୋନରେ ପାକିସ୍ତାନ ନମ୍ବର ମିଳିଥିଲା। ତାଙ୍କ ଠାରୁ ଉଦ୍ଧାର ହୋଇଥିବା ଆମେରିକାର କର୍ନେଲ ବିଶ୍ୱବିଦ୍ୟାଳୟ, କାନାଡିଆନ୍ ହେଲଥ୍ ସର୍ଭିସେସ୍ ଇନଷ୍ଟିଚ୍ୟୁଟ୍ ଏବଂ ଭେଲୋରର ଖ୍ରୀଷ୍ଟିଆନ୍ ମେଡିକାଲ କଲେଜର ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍ ମଧ୍ୟ ଯାଞ୍ଚ କରାଯାଉଛି। ତାଙ୍କ ଭଡ଼ା ଘରୁ ଖାଲି ଦସ୍ତଖତ ଦସ୍ତାବିଜ, ସତ୍ୟପାଠ ଓ ବଣ୍ଡ, ଅନେକ ପରିଚୟ ପତ୍ର, ଏଟିଏମ୍ କାର୍ଡ, ଖାଲି ଚେକ୍, ଆଧାର କାର୍ଡ ଓ ଭିଜିଟିଂ କାର୍ଡ ସମେତ ୧୦୦ରୁ ଅଧିକ କାଗଜପତ୍ର ସମେତ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

ଜମ୍ମୁ-କଶ୍ମୀରର କୁପଓ୍ଵାରା ଜିଲ୍ଲାର ହଣ୍ଡୱାରାର ବାସିନ୍ଦା ବୁଖାରୀ ନିଜର ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ କିଛି ଦିନ ହେବ କ୍ରାଇମବ୍ରାଞ୍ଚର ସ୍କାନରରେ ଥିଲେ। ବୃତ୍ତିରେ ଶିକ୍ଷୟିତ୍ରୀ ଥିବା ଜଣେ ମହିଳାଙ୍କୁ ବିବାହ କରି ସେ ୨୦୧୮ ମସିହାରୁ ଯାଜପୁରରେ ରହୁଥିଲେ। ଅତି କମରେ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ସହ ତାଙ୍କର ସମ୍ପର୍କ ଥିବା ଅଭିଯୋଗ ହୋଇଛି।