ମାଗଣା ଚା ବାଣ୍ଟି ଦୁର୍ଘଟଣା ଏଡାଇବେ ରାଜ୍ୟ ସରକାର

ରାତିରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ରାସ୍ତାକଡ଼ରେ ଥିବା ଢାବା, ହୋଟେଲ ମାନଙ୍କରେ ଚା’ ଦେବେ ରାଜ୍ୟ ସରକାର।

ଗାଡ଼ି ଚାଳକଙ୍କ ଚକ୍ଷୁ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ

ଭୁବନେଶ୍ବର, ୨୧/୧୨/୨୩: ରାଜ୍ୟରେ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା। ଏ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କିନ୍ତୁ କିଛି ଫଳପ୍ରଦ ହେଉନାହିଁ। ପରିଶେଷରେ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ମଧ୍ୟ ପାଳନ କରାଗଲା। ହେଲେ ଦୁର୍ଘଟଣା କିନ୍ତୁ ରୋକି ହେଲା ନାହିଁ। ଏବେ ଦୁର୍ଘଟଣା ରୋକିବାକୁ ଏକ ନୂତନ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟରେ ରାଜପଥରେ ରାତିରେ ଗାଡ଼ି ଚାଳକଙ୍କୁ ମାଗଣା ଚା’ ଦେବାର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାତିରେ ନିଦ୍ରାହୀନତା ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଚାଳକମାନଙ୍କୁ ମାଗଣା ଚା’ ଦିଆଯିବ।

ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇ କହିଛନ୍ତି ଯେ ରାସ୍ତା କଡ଼ରେ ଥିବା ଢାବା ଓ ହୋଟେଲରେ ରାତିରେ ଗାଡି ଚଳାଉଥିବା ଡ୍ରାଇଭରମାନଙ୍କୁ ମାଗଣାରେ ଚା ଯୋଗାଇ ଦିଆଯିବ। ଏହି ଚା ପାଇଁ ରାଜ୍ୟ ସରକାର ଖର୍ଚ୍ଚ ବହନ କରିବେ। ଏହା ସହ ସେହି ଢାବାରେ ଡ୍ରାଇଭରମାନଙ୍କୁ ବିଶ୍ରାମ ନେବାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ମାଗଣା ଚା’ ଯୋଗାଣ ପାଇଁ ହୋଟେଲ ଚିହ୍ନଟ କରିବେ। ଆରଟିଓ ପକ୍ଷରୁ ଆସନ୍ତା ବର୍ଷ ଜାନୁଆରି ପହିଲାରୁ ୭ ତାରିଖ ପର୍ଯ୍ୟନ୍ତ ମୁଖ୍ୟତଃ ସଡ଼କ ସୁରକ୍ଷା ସପ୍ତାହ ପାଳନ ସମୟରେ ମାଗଣା ଚା’ ଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ।

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସକାଳ ଓ ସନ୍ଧ୍ୟା ସମୟରେ ଟ୍ରାଫିକ୍ ଚେକିଂକୁ ଜୋରଦାର କରିବା ସହ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଗାଡ଼ି ଚାଳକଙ୍କ ଚକ୍ଷୁ ପରୀକ୍ଷା ପାଇଁ ରାସ୍ତାକଡ଼ରେ ଥିବା ପେଟ୍ରୋଲ ପମ୍ପ, ହୋଟେଲ ନିକଟରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାକୁ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।