ଜେଏନ.୧ ଭାରିଆଣ୍ଟ ସାଂଘାତିକ ନୁହେଁ, କିନ୍ତୁ ମାସ୍କ ପିନ୍ଧିବା ଜରୁରୀ

ଦେଶରେ ଦୈନିକ କୋଭିଡ୍ ମାମଲା ସଂଖ୍ୟା ବୃଦ୍ଧି ହୋଇଛି, କିନ୍ତୁ କରୋନାର ନୂଆ ଭାରିଆଣ୍ଟ ସାଂଘାତିକ ନୁହେଁ।

୮୮% ରୋଗୀ କେବଳ କେରଳର

ନୂଆଦିଲ୍ଲୀ, ୨୧/୧୨/୨୩: ଦେଶରେ ଦୈନିକ କୋଭିଡ୍ ମାମଲା ସଂଖ୍ୟା ବୃଦ୍ଧି ହେବା ଫଳରେ ଅନେକ ରାଜ୍ୟ ମାସ୍କ ଆଡଭାଇଜରି ଜାରି କଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୫୯୪ଟି ନୂଆ କୋଭିଡ୍ ମାମଲା ସାମ୍ନାକୁ ଆସିଛି, ସେଥିମଧ୍ୟରୁ ୩୦୦ଟି ମାମଲା କେରଳରେ ରହିଛି। ଏହି ସମୟ ମଧ୍ୟରେ କୋଭିଡ୍ ଜନିତ ଜଟିଳତା କାରଣରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ୨,୬୬୯ ଟି ସକ୍ରିୟ କୋଭିଡ ମାମଲା ରହିଛି ।

ଗତକାଲି ଦୈନିକ ୬୧୪ ଟି ମାମଲା ସାମ୍ନାକୁ ଆସିଥିଲା, ଯାହା ମେ ମାସ ପରଠାରୁ ସର୍ବାଧିକ। ସଂକ୍ରମଣରେ ଏହି ବୃଦ୍ଧି ଜେଏନ୍.୧ ନାମକ ଏକ କୋଭିଡ୍ ଭାରିଏଣ୍ଟ ଦ୍ୱାରା ବ୍ୟାପୁଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜେଏନ.୧କୁ ‘ଭାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ’ ଭାବରେ ବର୍ଗୀକୃତ କରିଛି କିନ୍ତୁ କହିଛି ଯେ ବର୍ତ୍ତମାନ ଉପଲବ୍ଧ ପ୍ରମାଣ ସୂଚାଉଛି ଯେ ଏହା ଏକ ବଡ଼ ବିପଦ ସୃଷ୍ଟି କରେ ନାହିଁ। ଏହା ସତ୍ତ୍ୱେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁ ଆରମ୍ଭ ହେବା ପରେ ଜେଏନ୍.୧ ଅନେକ ଦେଶରେ ଶ୍ୱାସକ୍ରିୟା ସଂକ୍ରମଣର ବୋଝ ବଢ଼ାଇପାରେ ବୋଲି ଡବ୍ଲ୍ୟୁଏଚ୍ଓ କହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତରେ ସ୍ଥିତି ଏବଂ ନୂତନ କୋଭିଡ୍ ଭାରିଆଣ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ଯେକୌଣସି ବୃଦ୍ଧିର ମୁକାବିଲା ପାଇଁ ପ୍ରସ୍ତୁତି ର ଉଚ୍ଚସ୍ତରୀୟ ସମୀକ୍ଷା କରିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଛନ୍ତି ଯେ କୋଭିଡ୍-୧୯ ଭୂତାଣୁର ନୂତନ ଷ୍ଟ୍ରେନ୍ ବିରୋଧରେ ସତର୍କ ଏବଂ ପ୍ରସ୍ତୁତ ରହିବା ଜରୁରୀ। ସମସ୍ତ ରାଜ୍ୟ ସଚେତନ ରହିବା, ତଦାରଖ ବଢ଼ାଇବା ସହ ପର୍ଯ୍ୟାପ୍ତ ପରିମାଣର ଔଷଧ, ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବାକୁ ସେ କହିଛନ୍ତି।

ଅନ୍ୟପକ୍ଷରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ଜନଗହଳି ପୂର୍ଣ୍ଣ ଓ ବନ୍ଦ ସ୍ଥାନରେ ମାସ୍କ ପିନ୍ଧିବା ସହ ହାତ ପରିଚ୍ଛନ୍ନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଦେଶରେ କୋଭିଡ୍ ସଂଖ୍ୟା ବଢୁଛି ତେଣୁ ବୟସ୍କ ବ୍ୟକ୍ତି ମାସ୍କ ପିନ୍ଧନ୍ତୁ। ୫ଟି ରାଜ୍ୟରେ ୯୮% ରୋଗୀ ଅଧିକ, ୮୮% କେବଳ କେରଳରେ ଦେଖାଦେଇଛି। ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପୁଛି କିନ୍ତୁ ସାଙ୍ଘାତିକ ହେଉନାହିଁ।