୧୨ରୁ ଜନତା ମଇଦାନରେ କୃଷି ଓଡ଼ିଶା ୨୦୨୪

ଜାନୁଆରି ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ କୃଷି ଓଡ଼ିଶା ୨୦୨୪ ଆୟୋଜିତ ହେବ।

କୃଷି ବିଭାଗର ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର, ୦୮/୦୧/୨୩: ଭୁବନେଶ୍ବର ସ୍ଥିତ ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି କୃଷି ଓଡ଼ିଶା ୨୦୨୪। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଜାନୁଆରି ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଏହି କୃଷି ସମ୍ବନ୍ଧୀୟ ମହୋତ୍ସବ। ଏ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି ଓଡିଶା କୃଷି ବିଭାଗ।

ଆଜି କୃଷି ଭବନରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଘୋଷଣା କରି କହିଥିଲେ ଯେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିବା ଏବଂ ପାଳନ କରିବା ପାଇଁ ଚଳିତ ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘କୃଷିରେ ମହିଳାଙ୍କୁ ପାଳନ କରିବା’। ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କୃଷକ ଓ ଓଡ଼ିଶାବାସୀଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିବେ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି କ୍ଷେତ୍ରରେ ମହିଳାଙ୍କ ଅବଦାନ ୬୦ ପ୍ରତିଶତରୁ ଅଧିକ ବୋଲି ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପାଖାପାଖି ୫୦୦୦ କୃଷକ ମହିଳା, ୨୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷି ଉଦ୍ୟୋଗୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

କୃଷି ଓଡ଼ିଶା ୨୦୨୪କୁ ଅଧିକ ଆକର୍ଷଣୀୟ କରିବା ପାଇଁ କ୍ୱିଜ୍, ବକ୍ତୃତା, ପରୀକ୍ଷାମୂଳକ ଜଳ ଖେଳ, ସ୍ଥାନୀୟ କୃଷକ ଗୀତ, କାହାଣୀ, ପୋଷ୍ଟକାର୍ଡ ଏକ୍ସଚେଞ୍ଜ ଓ ପରୀକ୍ଷାମୂଳକ ଶିକ୍ଷଣ କେନ୍ଦ୍ର ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସଫଳ ମହିଳା କୃଷକ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରାଯିବ।