ମାଲକାନଗିରିବାସୀଙ୍କ ସ୍ୱପ୍ନ ପୂରଣ କଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ବିମାନବନ୍ଦରକୁ ଉଦଘାଟନ କରିଛନ୍ତି।

ଏଥର ବିମାନରେ ଉଡିବେ ମାଲକାନଗିରିବାସୀ

ଭୁବନେଶ୍ବର,୦୯/୦୧/୨୪: ସାକାର ହେଲା ମାଲକାନଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ। ଏବେ ଖାଲି ସଡକପଥ କି ରେଳପଥରେ ନୁହେଁ, ଆକାଶପଥରେ କରିବେ ଗମନାଗମନ। ଆଜି ମାଲକାନଗିରିବାସୀଙ୍କ ସ୍ୱପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମାଲକାନଗିରି ବିମାନବନ୍ଦରକୁ ଉଦଘାଟନ କରିଛନ୍ତି।

ପୂର୍ବରୁ କୋରାପୁଟର ଜୟପୁର, କଳାହାଣ୍ଡିର ଉତ୍କେଲା, ରାଉରକେଲା ଓ ଗଞ୍ଜାମର ରଙ୍ଗେଇଲୁଣ୍ଡାଠାରେ ବିମାନବନ୍ଦର ପ୍ରତିଷ୍ଠା କରାଯାଇଥିବା ବେଳେ ଏବେ ମାଲକାନଗିରି ମଧ୍ୟ ବିମାନସେବାରେ ଯୋଡି ହୋଇଛି।

ଏହାଦ୍ୱାରା ମାଲକାନଗିରି ଜିଲ୍ଲା ତଥା ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

ଏତଦ୍ ବ୍ୟତୀତ, ଆଜି ମାଲକାନଗିରି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ ଗୋବିନ୍ଦ ପାଲି ସମନ୍ବିତ ଜଳସେଚନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୪ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଏହି ପ୍ରକଳ୍ପ ଅଧୀନରେ ସପ୍ତଧାରା ଓ ଗରିଆଠାରେ ଦୁଇଟି ଡ୍ୟାମ୍, ଭୂତଳ ପାଇପ୍ ଲାଇନ୍ ଜରିଆରେ ଏକ ସଂଯୋଗ ଟନେଲ ଓ ଜଳସେଚନ ବ୍ୟବସ୍ଥା ରହିଛି। ଯାହା ଫଳରେ ମାଲକାନଗିରି ଜିଲ୍ଲାର ୪ଟି ବ୍ଲକ ମାଲକାନଗିରି, ମାଥିଲି, ଖଇରିପୁଟ ଓ କୋରକୁଣ୍ଡାର ଅତିରିକ୍ତ ୯୨,୮୧୫ ଏକର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ସହ ୧.୫୦ ଲକ୍ଷ ସ୍ଥାନୀୟ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବ।

ଆସନ୍ତା ଜୁଲାଇ ସୁଦ୍ଧା ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।