୧୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

ରାଜ୍ୟରେ ଶୀତ ଅନୁଭୂତ ହେଉଥିବା ବେଳେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି।

ଚଳିତ ସପ୍ତାହରେ ବର୍ଷା ସମ୍ଭାବନା

ଭୁବନେଶ୍ବର, ୧୪/୦୧/୨୦୨୪: ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଶନିବାର ଓ ରବିବାର ସାରା ରାଜ୍ୟରେ ଶୀତ ଅନୁଭୂତ ହୋଇଛି।

ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଆସିଛି।

ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୭.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କନ୍ଧମାଳର ଜି ଉଦୟଗିରିରେ ୮ ଡିଗ୍ରୀ, ରାଉରକେଲାରେ ୮.୭ ଡିଗ୍ରୀ, କୋରାପୁଟରେ ୮.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୯ ଡିଗ୍ରୀ, ଝାରସୁଗୁଡ଼ାରେ ୯.୩ ଡିଗ୍ରୀ, ଭଦ୍ରକ ଜିଲ୍ଲାର ରାଣୀତାଳ ଓ କୋରାପୁଟର ସେମିଳିଗୁଡାରେ ୯.୫ ଡିଗ୍ରୀ ଏବଂ କେନ୍ଦୁଝରରେ ୯.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ସହ ରାଜ୍ୟର କେତେକ ସ୍ଥାନରେ ଆସନ୍ତା ଜାନୁଆରୀ ୧୭ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୧୮ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।