ବିରାଜିଲେ ରାମଲାଲା: ଚତୁର୍ଦ୍ଦିଗରେ ଜୟ ଶ୍ରୀରାମ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି।

ଆକାଶମାର୍ଗରୁ ପୁଷ୍ପ ବର୍ଷା: ଭକ୍ତ ହେଲେ ବିଭୋର

ଉତ୍ତରପ୍ରଦେଶ, ୨୨/୦୧/୨୦୨୪: ଅନ୍ତ ହେଲା କାଳ କାଳର ପ୍ରତୀକ୍ଷା। ୫୦୦ ବର୍ଷରୁ ହିନ୍ଦୁମାନେ ଦେଖୁଥିବା ସ୍ୱପ୍ନ ହେଲା ପୂରଣ। ତ୍ୟାଗ, ସଂଘର୍ଷ ଓ ବଳିଦାନର ହେଲା ପୂର୍ଣ୍ଣାହୁତି। ନିଜ ଜନ୍ମଭୂମିରେ ବିରାଜିଲେ ପ୍ରଭୁ ଶ୍ରୀରାମ। କୃଷ୍ଣଶିଳାରେ ନିର୍ମିତ ବିଗ୍ରହର ହେଲା ଶିଳାନ୍ୟାସ। ବିଶ୍ୱ ଦେଖିଲା ଶ୍ରୀରାମଙ୍କ ଏହି ଭବ୍ୟ ପ୍ରତିମା। ଅଯୋଧ୍ୟା ସହ ସାରା ଦେଶ ଉତ୍ସବ ମୁଖର। ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ସଞ୍ଚାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ।

ପୂର୍ବାହ୍ନ ୧୨ଟା ୧୦ରେ ଗର୍ଭଗୃହରେ ପୂଜନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶୁଭ ମୁହୂର୍ତ୍ତ ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସମ୍ପନ୍ନ କରିବା ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୋଇଥିଲା। ୮୪ ସେକେଣ୍ଡର ଅଭିଜିତ୍ ମୁହୂର୍ତ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା, ଏହି ସମୟରେ ପ୍ରାଣ ସଞ୍ଚାର କରାଯାଇଥିଲା। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସହ କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ପ୍ରାଣ ପ୍ରତିଷ୍ଠା ବେଳେ ହେଲିକପ୍ଟର ଦ୍ୱାରା ଆକାଶମାର୍ଗରୁ ପୁଷ୍ପ ବର୍ଷା ହୋଇଛି। ଶ୍ରୀ ରାମଙ୍କ ଲାଗି ଭୋଗରେ ରୂପା ଥାଳି ଓ ରୂପା ଗିନାରେ ଲକ୍ଷ୍ନୌରୁ ଆସିଥିବା ୫୬ ଭୋଗ ପ୍ରଭୁ ରାମଙ୍କ ନିକଟରେ ଲାଗି ହୋଇଥିଲା।

ଅଯୋଧ୍ୟାରେ ପୁରୀ ରାଜା ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତୀ ପାଟ୍ଟମହାଦେଇ ଉପସ୍ଥିତ ଥିଲେ। ଏହା ସହ ଅନ୍ୟ ବିଶିଷ୍ଠ ଅତିଥିମାନଙ୍କ ମଧ୍ୟରେ ବଲିଉଡର ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ସିନେ ତାରକା ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଅନୁପମ ଖେର୍, ରଜନୀକାନ୍ତ, କଙ୍ଗନା ରାଣାୱତ, ମଧୁର ଭଣ୍ଡାରକର, ପ୍ରସୁନ୍ ଯୋଶୀ, ଅଭିନେତା ଦମ୍ପତି ଭିକି କୌଶଲ-କ୍ୟାଟ୍ରିନା କୈଫ୍, ରଣବୀର କପୁର-ଆଲିଆ ଭଟ୍ଟ, ମାଧୁରୀ ଦିକ୍ଷୀତ, ଆୟୁଷ୍ମାନ ଖୁରାନା, ରାଜକୁମାର ହିରାନୀ, ରୋହିତ ସେଟ୍ଟୀ, ଅନୁ ମଲ୍ଲିକ, ବିବେକ ଓବରୟ, ଜ୍ୟାକି ଶ୍ରଫ, ନିର୍ଦ୍ଦେଶକ ସୁଭାଷ ଘାଇ, ମହାଭାରତର କୃଷ୍ଣଚରିତ୍ରାଭିନେତା ନୀତିଶ ଭରଦ୍ୱାଜ ସାମିଲ ହୋଇଥିଲେ। ଏହା ସହ ଅନ୍ୟ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଶିଳ୍ପପତି ସୁନୀଲ ଭାରତୀ ମିତ୍ତଲ, ମୁକେଶ ଅମ୍ବାନୀ, ଅନିଲ ଅମ୍ବାନୀ, କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ, ବିଶିଷ୍ଟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ, ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପୋଡୱାଲ, ଶଙ୍କର ମହାଦେବନ ଓ ସୋନୁ ନିଗମଙ୍କ ଭଜନ ପରିବେଷଣରେ ଶ୍ରଦ୍ଧାଳୁମାନଙ୍କ ମନ୍ତ୍ରମୁଗ୍ଧ ହୋଇଥିଲା।

ଐତିହାସିକ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ସମସ୍ତ ପ୍ରମୁଖ ଆଧ୍ୟାତ୍ମିକ ଓ ଧାର୍ମିକ ସମ୍ପ୍ରଦାୟର ପ୍ରତିନିଧିମାନେ ଯୋଗଦେଇଥିଲେ। ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଅବସରରେ ସ୍ଥାନୀୟ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ବିଭିନ୍ନ କାର୍ଯ୍ୟକ୍ରମ ସହ ଦେଶ ବିଦେଶରେ ଥିବା ଭାରତୀୟମାନେ ଏହି ପୂଜାର୍ଚ୍ଚନା ଉତ୍ସବ ପାଳନ କରିଛନ୍ତି। ରାବଣଙ୍କ ସହ ଯୁଦ୍ଧ ପରେ ଭଗବାନ ରାମଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଉତ୍ସବକୁ ଦୀପାବଳି ବୋଲି ଅଭିହିତ କରାଯାଇଛି ଏବଂ ମନ୍ଦିର ଏବଂ ଘରଗୁଡ଼ିକୁ ଉତ୍ସବ ଆଲୋକରେ ସଜ୍ଜିତ କରାଯାଇଛି।

ପାରମ୍ପରିକ ଉତ୍ତର-ଭାରତୀୟ ନାଗର ଶୈଳୀରେ ୩୮୦×୨୫୦ ଫୁଟର ଏହି ମନ୍ଦିର ନିର୍ମାଣ କରାଯାଉଛି। ଏହାର ୩୯୨ଟି ସ୍ତମ୍ଭ, ୪୪ଟି କବାଟ ଓ କାନ୍ଥରେ ଦେବଦେବୀଙ୍କ ବିସ୍ତୃତ ଚିତ୍ର ରହିଛି। ଗର୍ଭଗୃହରେ ପାଞ୍ଚ ବର୍ଷର ଭଗବାନ ରାମଙ୍କ ମୂର୍ତ୍ତି ରଖାଯାଇଛି।

୨୦୧୯ମସିହାର ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ବିବାଦୀୟ ଜମିକୁ ମନ୍ଦିର ପାଇଁ ପ୍ରଦାନ କରିବା ସହ ମୁସଲମାନମାନଙ୍କୁ ମସଜିଦ ପାଇଁ ବିକଳ୍ପ ପ୍ଲଟ୍ ଦେବାକୁ କହିବା ପରେ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା। ଷୋଡଶ ଶତାବ୍ଦୀର ବାବ୍ରି ମସଜିଦକୁ ଭଙ୍ଗାଯିବା ପରେ ଏହି ଭବ୍ୟ ମନ୍ଦିର ନିର୍ମାଣ କରାଯାଇଥିଲା। ତେବେ ଆଜିର ଏହି ଦିନ ୨୦୨୪ ଜାନୁଆରୀ ୨୨ ଐତିହାସିକ ଭାବେ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ରହିବ।