୨୦୨୮ ପର୍ଯ୍ୟନ୍ତ ମାଗଣା ରାସନ ବଣ୍ଟନ

କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, ୦୯/୧୦: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅଧୀନରେ ମାଗଣା ଫର୍ଟିଫାଇଡ୍ ଚାଉଳ ଯୋଗାଣ ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। କେନ୍ଦ୍ର ସରକାର ଏହି ଯୋଜନାର ଅବଧି ବଢ଼ାଇ ସାରିଛନ୍ତି। ଏହି କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ପଦକ୍ଷେପ ରକ୍ତହୀନତା ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଭାବକୁ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପାଣ୍ଠିରୁ ସମୁଦାୟ ବ୍ୟୟ ୧୭,୦୮୨ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଯୋଜନାରେ ଦେଶର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୮୧ କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଏଥିରେ ରାସନ କାର୍ଡଧାରୀ ପରିବାରକୁ ୫ କେଜି ଖାଦ୍ୟ ଶସ୍ୟ ମାଗଣାରେ ଯୋଗାଇ ଦିଆଯାଉଛି। କୋଭିଡ ମହାମାରୀ ସମୟରେ ମାର୍ଚ୍ଚ ୨୦୨୦ରେ ଏହାର ଶୁଭାରମ୍ଭ କରାଯାଇଥିଲା। କରୋନା ପରେ ଏହି ଯୋଜନାକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଓ ଅନ୍ୟାନ୍ୟ ଯୋଜନା ସହିତ ମିଶ୍ରଣ କରାଯାଇଥିଲା। ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା, କଲ୍ୟାଣ ଯୋଜନା, ସମନ୍ୱିତ ଶିଶୁ ବିକାଶ ସେବା, ପିଏମ ପୋଷଣ ଯୋଜନା ଅଧୀନରେ ଲୋକଙ୍କୁ ମାଗଣା ଫର୍ଟିଫାଇଡ୍ ଚାଉଳ ପ୍ରଦାନ କରାଯାଉଛି।