ପରଲୋକରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ

ଆଜି ରାଜ୍ୟର ଜଣେ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ଘଟିଛି।

ଭାରତଛାଡ଼ ଆନ୍ଦୋଳନର ଅଂଶଗ୍ରହଣକାରୀ ଥିଲେ ନୀଳମଣି

କଟକ, ୨୭/୦୧/୨୦୨୪: ଓଡିଶାର ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କର ଆଜି ୧୦୨ ବର୍ଷ ବୟସରେ ପରଲୋକ ହୋଇଛି। କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସାମଲଙ୍କ ମୃତ୍ୟୁ ଘଟିଛି।

ବ୍ରେନ୍ ଷ୍ଟ୍ରୋକ୍ ପରେ ସେ ଗତ ୩ ଦିନ ହେବ ମେଡିସିନ୍ ବିଭାଗର ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ଚିକିତ୍ସା କରୁଥିଲେ।

୧୯୨୩ ମସିହା ଫେବୃଆରୀ ୨୩ ତାରିଖରେ ଯାଜପୁର ଜିଲ୍ଲାର ବଡଚଣା ବ୍ଳକର ବାଲିପଡିଆ ଗାଁରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ନୀଳମଣି ସାମଲ। ଶ୍ରୀ ସାମଲ ଅଖିଳ ଓଡ଼ିଶା ସ୍ୱାଧୀନତା ସଂଗ୍ରାମୀ ସଂଘର ସଭାପତି ଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ସେ ତିନି ବର୍ଷ ଜେଲରେ ରହିଥିଲେ।

ସେ ୧୯୪୨ ମସିହାରେ ଐତିହାସିକ ଭାରତଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ବିଶେଷ କରି ବଡଚଣାର ମୂଷାଟିକିରୀ ଠାରେ ଜମିଦାରଙ୍କ କଚେରୀ ଘର ପୋଡି, କୁଆଁପାଳ ଡାକଘର ପୋଡି, ବାଲିଚନ୍ଦ୍ରପୁରଠାରେ ଥିବା ସରକାରୀ ଅଫିମ ଦୋକାନ ଆଗରେ ଅନ୍ୟ ସଂଗ୍ରାମୀମାନଙ୍କ ସହ ମିଶି ପିକେଟିଂ କରିବା ଏବଂ ବଡଚଣା ଥାନା ପୋଡିବା ପାଇଁ ଷଡଯନ୍ତ୍ର କରୁଥିବା ଭଳି ଅଭିଯୋଗରେ ଇଂରେଜ ସରକାରଙ୍କ ଦ୍ୱାରା ଗିରଫ ହୋଇଥିଲେ।

ଭାରତର ତିନିଜଣ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ଦେବୀ ସିଂ ପାଟିଲ, ପ୍ରଣବ ମୁଖାର୍ଜୀ ଓ ରାମନାଥ କୋବିନ୍ଦଙ୍କ ଦ୍ୱାରା ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଏବଂ ବିଭିନ୍ନ ସମୟରେ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସେ ସମ୍ମାନିତ ହୋଇଛନ୍ତି।