‘ବିଗ୍ ବସ୍-୧୭’ ୱିନର ମୁନାୱର ଫାରୁକି

'ବିଗ୍ ବସ୍' ସିଜିନ ୧୭ର ୱିନର ଘୋଷିତ ହେବା ପରେ ମୁନାୱର ଫାରୁକିଙ୍କୁ ପୁରସ୍କାର ବାବଦରେ ୫୦ ଲକ୍ଷ ଟଙ୍କା ଓ ଏକ କାର୍ ଦିଆଯାଇଛି।

ଅଭିଷେକ କୁମାର ରନର୍ସ ଅପ୍

ମୁମ୍ବାଇ, ୨୯/୦୧/୨୦୨୪: ଷ୍ଟାଣ୍ଡଅପ୍ କମେଡିଆନ ମୁନାୱର ଫାରୁକିଙ୍କୁ ରବିବାର ରିୟାଲିଟି ସୋ’ ‘ବିଗ୍ ବସ୍’ ସିଜିନ୍ ୧୭ର ବିଜେତା ଭାବେ ଘୋଷଣା କରାଯାଇଛି। ସୋ’ର ହୋଷ୍ଟ ତଥା ବଲିଉଡ ଅଭିନେତା ସଲମାନ ଖାନ୍ ୩୨ ବର୍ଷୀୟ ଫାରୁକିଙ୍କୁ ବିଜେତା ଘୋଷଣା କରିବା ସହ ତାଙ୍କୁ ୫୦ ଲକ୍ଷ ଟଙ୍କା ଓ ଏକ କାର୍ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

ସୋ ସରିବା ପରେ ସେ ନିଜ ଅଫିସିଆଲ ଏକ୍ସ ଆକାଉଣ୍ଟରେ ତାଙ୍କ ପ୍ରଶଂସକମାନଙ୍କୁ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇବା ସହ ବିଗ୍ ବସ୍ ସିଜନ ୧୭ ଟ୍ରଫି ଧରିଥିବା ସଲମାନ ଖାନଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି ।

ଫିନାଲେରେ ଲାଇଭ ଭୋଟିଂ ଜରିଆରେ ମୁନାୱର ଅଭିନେତା ଅଭିଷେକ କୁମାରଙ୍କୁ ପଛରେ ପକାଇ ଦେଇଥିଲେ। ଫାଇନାଲରେ ଅଭିନେତ୍ରୀ ମନ୍ନାରା ଚୋପ୍ରା, ଅଙ୍କିତା ଲୋଖାଣ୍ଡେ ଏବଂ ୟୁଟ୍ୟୁବର ଅରୁଣ ଶ୍ରୀକାନ୍ତ ମହାସେଟ୍ଟି ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ସେହିପରି ଚଳିତ ସିଜିନରେ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେଙ୍କୁ ପଛରେ ପକାଇଥିଲେ ମନ୍ନାରା ଚୋପ୍ରା। ଫାଇନାଲ ରାଉଣ୍ଡରେ ଟପ୍ ୫ ମଧ୍ୟରେ ଆସିଥିଲେ ମଧ୍ୟ ଅରୁଣ ମହାସେଟ୍ଟୀ ହଟି ଯିବା ପରେ ଲାଇଭ ଭୋଟିଂ ଜରିଆରେ ଅଙ୍କିତା ଲୋଖାଣ୍ଡେ ଚତୁର୍ଥ ପର୍ଯ୍ୟାୟରେ ସୋ’ରୁ ବାହାରି ଯାଇଥିଲେ। ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା। ଫଳରେ ମନ୍ନାରା ଚୋପ୍ରା ଦ୍ୱିତୀୟ ରନର୍ସ ଅପ୍ ଓ ଅଭିଷେକ କୁମାର ପ୍ରଥମ ରନର୍ସ ଅପ ହୋଇଛନ୍ତି।

୨୦୨୨ରେ ମୁନାୱର ଫାରୁକି ରିୟାଲିଟି ଶୋ’ ‘ଲକ୍ ଅପ୍’ର ପ୍ରଥମ ସିଜିନ୍ ଜିତିଥିଲେ, ଯାହାକୁ ଅଭିନେତ୍ରୀ କଙ୍ଗନା ରଣାୱତ ହୋଷ୍ଟ କରିଥିଲେ।