ଜୀବନରେ ସଫଳତା ପାଇଁ କଠିନ ପରିଶ୍ରମ ଜରୁରୀ: ୫-ଟି ଅଧ୍ୟକ୍ଷ

•୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ରାଉରକେଲାର ବେଦବ୍ୟାସ ମନ୍ଦିରର ଅଗ୍ରଗତି ସମୀକ୍ଷା କରିଛନ୍ତି। •ଶ୍ରୀ କାର୍ତ୍ତିକ ପାଣ୍ଡିଆନ ୨୬୨.୫ କୋଟି ଟଙ୍କା ବ୍ୟୟରେ ଇବ ନଦୀର ଭସ୍ମାଠାରେ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ଏବଂ ୧୨୩.୭୫ କୋଟି ଟଙ୍କା ବ୍ୟୟରେ ସପେ ନଦୀର ଫୁଲବାରୀଠାରେ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚରର ଅଗ୍ରଗତି ସମୀକ୍ଷା କରିଥିଲେ।

ସୁନ୍ଦରଗଡ଼ରେ ୬୬୬ କୋଟିର ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ

ଭୁବନେଶ୍ଵର, ୨୯/୦୧/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହା ସହ ନୂଆ-ଓ ଫେଷ୍ଟରେ ଯୋଗ ଦେଇ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଭବାନୀପୁର ସ୍ଥିତ କ୍ରୀଡ଼ା ଛାତ୍ରାବାସ ପରିସରରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ସମସ୍ତ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେଠାରେ ଯୁବପିଢ଼ିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ସାମଗ୍ରିକ ବ୍ୟକ୍ତିତ୍ବ ବିକାଶ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ଜୀବନରେ ସଫଳତା ପାଇବା ପାଇଁ ଆତ୍ମବିଶ୍ୱାସର ସହ କଠିନ ପରିଶ୍ରମ କରିବାକୁ କହି କିଛି ବିଶିଷ୍ଟ ବ୍ୟକ୍ତିଙ୍କ ଉଦାହରଣ ଦେଇ ପ୍ରେରଣା ଯୋଗାଇଥିଲେ। ଏହା ସହ ଫେବ୍ରୁଆରି ସୁଦ୍ଧା ଜିଲ୍ଲାରେ କଲେଜ ରୂପାନ୍ତରୀକରଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି।

ସେହିପରି କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ୨୬୨.୫ କୋଟି ଟଙ୍କା ବ୍ୟୟରେ ଇବ ନଦୀର ଭସ୍ମାଠାରେ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ଏବଂ ୧୨୩.୭୫ କୋଟି ଟଙ୍କା ବ୍ୟୟରେ ସପେ ନଦୀର ଫୁଲବାରିଠାରେ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର, ୨୩୨ କୋଟି ଟଙ୍କା ବ୍ୟୟରେ ସେମିନା, ରିଉଘାଟ, ଖଇରିଡିହି ଏବଂ ସତାରାଠାରେ ମେଗା ଉଠା ଜଳସେଚନ ପ୍ରକଳ୍ପ, ରାଜଗାଙ୍ଗପୁରଠାରେ ୪୮.୧୧ କୋଟି ଟଙ୍କା ବ୍ୟୟରେ ରେଲୱେ ଓଭର ବ୍ରିଜର ସମୀକ୍ଷା କରିବା ସହ ରାଉରକେଲାର ବେଦବ୍ୟାସ ମନ୍ଦିର, ଘୋଘରସ୍ଥିତ ଶିବ ମନ୍ଦିର, ବେଲସରସ୍ଥିତ ଶିବ ମନ୍ଦିର ଆଦି ପ୍ରମୁଖ ମନ୍ଦିରର ବିକାଶର ଅଗ୍ରଗତି ମଧ୍ଯ ସମୀକ୍ଷା କରିଥିଲେ।

ଶ୍ରୀ ପାଣ୍ଡିଆନ୍ ୨୦୨୩ ମାର୍ଚ୍ଚରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ଅଭିଯୋଗ ସଭାରେ ଯୋଗ ଦେବା ପରେ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ କିଛି ପ୍ରକଳ୍ପର କାର୍ଯ୍ୟ ତ୍ବରାନ୍ବିତ ଭାବରେ କରାଯାଉଛି।