ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଶେଷ ବଜେଟ ଅଧିବେଶନ

ଆଜି ସଂସଦ ଭବନରେ ଅତିରିକ୍ତ ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ଉଦବୋଧନ ଦେଇ ମୋଦି ସରକାରଙ୍କ ସଫଳତା ବିଷୟରେ ଆଲୋଚନା କରିଛନ୍ତି।

ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ଉଦବୋଧନ

ନୂଆଦିଲ୍ଲୀ, ୩୧/୦୧/୨୦୨୪: ଆଜିଠାରୁ ଆରମ୍ଭ ହୋଇଛି ମୋଦି ସରକାରଙ୍କ ଶେଷ ବଜେଟ ଅଧିବେଶନ। ସାଧାରଣତଃ ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଅନୁଷ୍ଠିତ ହେଉଥିବା ବଜେଟ ଅଧିବେଶନ ଚଳିତ ଥର ୨୦୨୪ ନିର୍ବାଚନ ପୂର୍ବରୁ ଗୃହରେ ବଜେଟ ଉପସ୍ଥାପିତ ହୋଇଛି। ଆସନ୍ତା ଜୁନ ମାସରେ ନୂତନ ସରକାର ଗଠନ ହେବା ପରେ ପୁନଃ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରାଯିବା ପୂର୍ବରୁ ସର୍ବସାଧାରଣଙ୍କ ସବୁ ବର୍ଗରେ ଖୁସି କରାଇବା ପାଇଁ ଏହି ଅତିରିକ୍ତ ବଜେଟ ଉପସ୍ଥାପନା କରାଯାଇଛି।

ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ସଂସଦ ଭବନରେ ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାକୁ ଉଦବୋଧନ ଦେଇଛନ୍ତି।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ରାମ ମନ୍ଦିର ସଫଳ ନିର୍ମାଣ, ଚନ୍ଦ୍ରଯାନ-୩, ଜି-୨୦ ଶିଖର ସମ୍ମିଳନୀ, ଏସୀୟ କ୍ରୀଡ଼ା, ହର ଘର ଜଳ ସମେତ ମୋଦୀ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, “ନୂଆ ସଂସଦ ଭବନରେ ଏହା ହେଉଛି ମୋର ପ୍ରଥମ ଅଭିଭାଷଣ। ଅମୃତ କାଳର ପ୍ରାରମ୍ଭରେ ଏହି ଭବ୍ୟ କୋଠା ନିର୍ମାଣ କରାଯାଇଛି । ଏଥିରେ ରହିଛି ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସୁଗନ୍ଧ। ଗଣତାନ୍ତ୍ରିକ ଓ ସଂସଦୀୟ ପରମ୍ପରାକୁ ସମ୍ମାନ ଦେବାର ସଂକଳ୍ପ ମଧ୍ୟ ଏଥିରେ ରହିଛି। ଏହାବ୍ୟତୀତ ଏକବିଂଶ ଶତାବ୍ଦୀର ନୂଆ ଭାରତର ନୂଆ ପରମ୍ପରା ନିର୍ମାଣ କରିବାର ସଂକଳ୍ପ ମଧ୍ୟ ଏଥିରେ ରହିଛି। ମୋର ବିଶ୍ୱାସ ଯେ ଏହି ନୂତନ କୋଠାରେ ନୀତି ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ହେବ।”

ରାଷ୍ଟ୍ରପତି ଅମୃତ କାଳର ସଫଳତା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଦଶନ୍ଧି ଧରି ଦେଶବାସୀ ଦେଖୁଥିବା ସ୍ୱପ୍ନ ବିଗତ ୧୦ ବର୍ଷରେ ପୂରଣ କରିଛନ୍ତି କେନ୍ଦ୍ର ସରକାର। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଲୋକ ସ୍ୱପ୍ନ ଦେଖୁଥିଲେ। ବର୍ତ୍ତମାନ ତାହା ବାସ୍ତବତାର ରୂପ ନେଇଛି। ଏହି ଭବ୍ୟ ମନ୍ଦିର ଉଦଘାଟନ ପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଆସୁଛନ୍ତି। ସେହିପରି ଧାରା ୩୭୦ ଉଚ୍ଛେଦ ମୋଦି ସରକାରଙ୍କ ଏକ ସଫଳତାପୂର୍ଣ୍ଣ ଆହ୍ୱାନ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବେ ଇତିହାସ ପାଲଟିଛି।

ଗୃହରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଛନ୍ତି, ନାରୀ ଶକ୍ତି ବନ୍ଦନ ଅଧିନିୟମ ତଥା ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଛି। ଏହା କେବଳ କାନୁନ ନୁହେଁ, ମହିଳାମାନଙ୍କ ପାଇଁ ଏକ ସମ୍ମାନ। ସେହିପରି ଭାରତର ମହିଳାମାନେ ମଧ୍ୟ ଏବେ ଲଢୁଆ ପାଇଲଟ ସାଜିଛନ୍ତି। ସଂସଦରେ ‘ତିନ ତଲାକ୍’କୁ ମଧ୍ୟ ନିଷିଦ୍ଧ କରାଯାଇଛି, ଯାହା ଐତିହାସିକ। ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ଆମର ଶକ୍ତି ପାଲଟିଛି। ପ୍ରତିରକ୍ଷା ଉତ୍ପାଦନ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଭାରତୀୟ ଅର୍ଥନୀତି ସଠିକ୍ ଦିଗରେ ବୃଦ୍ଧି ପାଇ ଆତ୍ମବିଶ୍ୱାସ ଦେଖାଉଛି। ବିଶ୍ୱ ସଙ୍କଟ ସତ୍ତ୍ୱେ ଭାରତର ମୁଦ୍ରାସ୍ଫୀତି ନିୟନ୍ତ୍ରଣାଧିନ ରହିଛି। ୩ ଗୁଣ ଅଧିକ ବିଦେଶୀ ପୁଞ୍ଜିନିବେଶ ଆଣିଛି ଭାରତ।

ଭାରତର ଡିଜିଟାଲ ପ୍ରଗତିକୁ ବିଦେଶରେ ପ୍ରଶଂସା କରାଯାଉଛି ଯେପରିକି ମୋବାଇଲ୍ ଫୋନ୍ ଉତ୍ପାଦନରେ ଉନ୍ନତି ଆଣିବା। ସମଗ୍ର ଭାରତରେ ବ୍ରଡବ୍ୟାଣ୍ଡ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୧୪ ପ୍ରତିଶତକୁ ବୃଦ୍ଧି ପାଇଛି। ଭାରତରେ ୧୨୦୦ କୋଟି ୟୁପିଆଇ କାରବାର ହୋଇଛି। ମୋଦି ସରକାର ‘ଓ୍ଵାନ୍ ରାଙ୍କ୍ ଓ୍ଵାନ୍ ପେନସନ୍’ ମଧ୍ୟ ଲାଗୁ କରିଛନ୍ତି। ଓଆରଓପି ଲାଗୁ ହେବା ପରଠାରୁ ପୂର୍ବତନ ସଶସ୍ତ୍ର ବାହିନୀ ଅଧିକାରୀଙ୍କୁ ପାଖାପାଖି ୧ ଲକ୍ଷ କୋଟି ଟଙ୍କା ମିଳିଛି। ସେହିପରି ଯୁବ, ମହିଳା, କୃଷକ ଓ ଗରୀବ ସଶକ୍ତିକରଣ ପାଇଁ ଟିକସର ଏକ ଅଂଶ ବ୍ୟବହୃତ ହୋଇଛି। ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।

ସମଗ୍ର ଭାରତରେ ୮୦ ପ୍ରତିଶତ ପରିବାର ମାଗଣା ରାସନ ପାଉଛନ୍ତି। ଯାହା ଦ୍ୱାରା ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତ କରାଯାଇ ପାରିଛି। ସେହିପରି ହର ଘର ଜଳ ମାଧ୍ୟମରେ ୧୧ କୋଟିରୁ ଅଧିକ ଲୋକଙ୍କୁ ପାନୀୟ ଜଳ ଯୋଗାଇଛନ୍ତି ସରକାର। ୨୦ରୁ ଅଧିକ ସହରରେ ମେଟ୍ରୋ ଟ୍ରେନ୍ କାମ ଶେଷ କରିବା ମୋଦି ସରକାରଙ୍କ ଲକ୍ଷ୍ୟ ସହ ଏପର୍ଯ୍ୟନ୍ତ ୩୯ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ସାରା ଭାରତରେ ଚାଲୁଛି। ସେହିପରି ଚନ୍ଦ୍ରଯାନ-୩ ଭାରତର ସଫଳ ପରୀକ୍ଷଣ। ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ ହୋଇଛି, ଯାହା ଅତ୍ୟନ୍ତ ଗର୍ବର ବିଷୟ।

ସରକାର ଅନ୍ତର୍ଜାତୀୟ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରୁଛନ୍ତି। ଆତଙ୍କବାଦକୁ କଡା ଜବାବ ଦେଉଛନ୍ତି ଆମ ସେନା। ସେହିପରି ନକ୍ସଲ ଜନିତ ହିଂସା ମଧ୍ୟ ଦେଶରେ ଯଥେଷ୍ଟ ହ୍ରାସ ପାଇ ଆଭ୍ୟନ୍ତରୀଣ ଶାନ୍ତି ବଜାୟ ରହି ପାରିଛି। ସବୁଠୁ ଅଶାନ୍ତି ଥିବା ଜମ୍ମୁ-କଶ୍ମୀରରେ ଶାନ୍ତିର ବାତାବରଣ ଦେଖାଯାଉଛି। ଏହା ସହ ଉତ୍ତର-ପୂର୍ବାଞ୍ଚଳକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟନ ଆସୁଛନ୍ତି। ପର୍ଯ୍ୟଟନ କ୍ଷେତ୍ର ଯୁବପିଢିଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦେଉଛି।