୫୦୦ ବର୍ଷରେ ହୋଇ ପାରୁନଥିବା କାମ ୩ ବର୍ଷରେ କରିଛନ୍ତି ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

•ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କା ମଞ୍ଜୁର •ବିଶ୍ୱ ଐତିହ୍ୟ ସହର ହେବ ପୁରୀ •ପୁରୀ ହେବ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ

ପୁରୀରେ ହେବ ଆନ୍ତର୍ଜାତିକ ବିମାନବନ୍ଦର

ଭୁବନେଶ୍ବର, ୦୪/୦୨/୨୦୨୪: ପୁରୀ ଜିଲ୍ଲା ହେବ ସାରା ରାଜ୍ୟର ଆର୍ଥିକ ମେରୁଦଣ୍ଡ। ବିଶ୍ୱର ଐତିହ୍ୟ ସହର ହେବ ପୁରୀ। ପୁରୀ ସହରକୁ ବାଦ ଦେଇ ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୁରୀ ତାଳବଣିଆଠାରେ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ।

ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ହେବା ସହ କଟକ ପୁରୀ ଭୁବନେଶ୍ବର ମେଟ୍ରୋ ଟ୍ରେନ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବ। ୫୦୦ ବର୍ଷ ଧରି ଯେଉଁ କାମ ହୋଇ ପାରିନଥିଲା ତାହା ୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ତାହା କରି ଦେଖାଇଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ। ଏହା ସହ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମ୍ପର୍କରେ ଲୋକଙ୍କଠାରୁ ମତାମତ ନେବା ସହ ପୁରୀ ଶ୍ରୀମନ୍ଦିରରେ ଏବେ ଯେଉଁ କାମ ହୋଇଛି ଆଗାମୀ ୨୦୦୦ ବର୍ଷ ପର୍ଯ୍ୟନ୍ତ କାମ ଦରକାର ପଡିବନି ବୋଲି କହିଥିଲେ ପାଣ୍ଡିଆନ।

ସେହିପରି ମୁଖ୍ୟମନ୍ତ୍ରୀ ଏହି ସବୁ କାମ ନିର୍ବାଚନ ପାଇଁ କରୁନାହାନ୍ତି ବରଂ ଓଡ଼ିଶାବାସୀଙ୍କ ପାଇଁ କରିଛନ୍ତି। ଖୁବ ଶୀଘ୍ର ପୁରୀ ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଆରମ୍ଭ ହେବ। ଗତ ୬ ମାସରେ ପୁରୀ ଜିଲ୍ଲା ପାଇଁ ୩୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଗକୁ ନିମାପଡ଼ା ଓ କାକଟପୁର ଅଞ୍ଚଳର ୨୩ ହଜାର ପାନଚାଷୀଙ୍କ ସମସ୍ୟାର ସମାଧାନ ହେବ। ପାନ ଚାଷୀଙ୍କୁ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବ। ପ୍ରତି ପାନ ଚାଷୀ ୟୁନିଟକୁ ଅଢେଇ ହଜାର ଟଙ୍କା ପ୍ରଦାନ କରାଯିବ। ଯାହାଫଳରେ ୪ ହଜାର ପାନଚାଷୀ ଉପକୃତ ହେବେ। ସେହିପରି ଜମିପଟ୍ଟା ସମସ୍ୟାର ସମାଧାନ ମଧ୍ୟ ଖୁବ ଶୀଘ୍ର ହେବ ବୋଲି ପାଣ୍ଡିଆନ କହିଛନ୍ତି।