ଆରପାରିରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା

ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାତକଡ଼ି ହୋତାଙ୍କ ଆଜି ୯୫ ବର୍ଷ ବୟସରେ ପରଲୋକ ଘଟିଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର, ୧୧/୦୨/୨୦୨୪: ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ସାତକଡ଼ି ହୋତାଙ୍କ ପରଲୋକ ହୋଇଯାଇଛି। ଗତ କିଛି ଦିନ ହେବ ଅସୁସ୍ଥତା ଭିତରେ ଗତି କରୁଥିବା ସହ ରବିବାର ଭୁବନେଶ୍ୱରରେ ୯୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସେ ଓଡ଼ିଆ ଦୈନିକ ଖବରକାଗଜ ‘ସମୟ’ର ସମ୍ପାଦକ ଥିଲେ। ୨୦୧୩ ମାର୍ଚ୍ଚ ୬ରୁ ୨୦୧୬ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିବା ହୋତା ଅନେକ କାଳଜୟୀ କବିତା, ଉପନ୍ୟାସ, କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ରଚନା କରିଛନ୍ତି। ୨୦୧୮ ପାଇଁ ତାଙ୍କୁ ସମ୍ମାନଜନକ ସାହିତ୍ୟ ଭାରତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ହୋତାଙ୍କୁ ଜଣେ ପ୍ରସିଦ୍ଧ ଲେଖକ, ପ୍ରଶାସକ ଓ ସମ୍ପାଦକ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ରହିଛି।

ସେହିପରି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ହୋତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମାନସ। ସେ କହିଛନ୍ତି, ଓଡ଼ିଆ ସାହିତ୍ୟ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ଡ. ହୋତାଙ୍କ ସାହିତ୍ୟକୃତି ତାଙ୍କୁ ସବୁଦିନ ପାଇଁ ଅମର କରିଦେବ।