ଝାଡ଼ଖଣ୍ଡ ସୀମାନ୍ତରେ ବିଭତ୍ସ ହତ୍ୟାକାଣ୍ଡ

ସୁନ୍ଦରଗଡ଼ ନିକଟ ଓଡ଼ିଶା-ଝାଡଖଣ୍ଡ ରେଳ ଟ୍ରାକରେ ୪ଟି ମୃତଦେହ ଠାବ ହେବା ପରେ ଏହା ହତ୍ୟା କି ଦୁର୍ଘଟଣା ସନ୍ଦେହ ଘେରରେ ରହିଛି।

ରେଲୱେ ପୋଲିସର ତନାଘନା

ସୁନ୍ଦରଗଡ଼, ୧୭/୦୨/୨୦୨୪: ସୁନ୍ଦରଗଡ଼ ନିକଟ ଓଡ଼ିଶା-ଝାଡଖଣ୍ଡ ରେଳ ଟ୍ରାକରେ ୪ଟି ମୃତଦେହ ଠାବ ହୋଇଛି। ସମଗ୍ର ଅଞ୍ଚଳରେ ଭୟର ବାତାବରଣ। ଝାଡ଼ଖଣ୍ଡ ପଶ୍ଚିମି ସିଂହଭୂମ ଜିଲ୍ଲା ଚକ୍ରଧରପୁର ରେଳ ଡ଼ିଭିଜନ୍ ତାଲାବୁରୁ ଏବଂ କେନ୍ଦପୋସି ରେଳ ଷ୍ଟେସନ୍ ପାଖ ରେଳ ଲାଇନ୍ ରେ ୪ ଜଣ ଲୋକଙ୍କର ମୃତଦେହ ଠାବ ହୋଇଛି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତଦେହ ଅଖା ଭିତରେ ବନ୍ଧା ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ ଦେହ କ୍ଷତ ବିକ୍ଷତ ଅବସ୍ଥାରେ ପଡି ରହିଥିଲା। ଏହି ମୃତ୍ୟୁ ଦୁର୍ଘଟଣା ଜନିତ କି ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦିଆଯାଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ। ଏହି ଘଟଣା ଗତକାଲି ରାତିର ବୋଲି କୁହାଯାଉଛି। ମୃତଦେହ ମିଳିବା ପରେ ସେଠାରେ ରେଳ ଚଳାଚଳ ବ୍ୟାହତ ହୋଇଛି। ରେଳ ଧାରଣାରେ ପଡ଼ିଥିବା ମୃତଦେହ ଜଣେ ଯୁବକ, ଜଣେ ମହିଳା ଓ ୨ ଜଣ ଛୋଟ ଛୁଆଙ୍କର ରହିଛି। ଘଟଣାସ୍ଥଳରେ ରେଲୱେ ପୋଲିସ ଓ ଏସଡିପିଓ ରାକେଶ ନନ୍ଦନ ମିଞ୍ଜ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଅନୁମାନ କରାଯାଉଛି।