ରାଜ୍ୟ ସରକାରଙ୍କ ୪ଟି ବିଭାଗରେ ଯୋଗ ଦେଲେ ୩୭୬ ଜଣ ଅଧିକାରୀ

ଲୋକଙ୍କୁ ସେବା ପ୍ରଦାନ କରିବା ସହ ୫-ଟି ଅନୁସରଣ କରନ୍ତୁ ଏବଂ ଏକ ଟିମ୍ ଭାବରେ କାର୍ଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଆମର ଲକ୍ଷ୍ୟ ବୃହତ୍ତର ଜନହିତକର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୨୧/୦୨/୨୦୨୪: ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଆଜି ୩୬୭ ଜଣ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନୂଆ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ୮୦ ଷ୍ଟାଫ୍ ନର୍ସ, ୪୦ ଜଣ ଫାର୍ମାସିଷ୍ଟ, ୪୦ ଜଣ ଲ୍ୟାବ ଟେକ୍ନିସିଆନ, ୮ ଜଣ ଏଏନଏମ, ୮ ଜଣ ଏକ୍ସ-ରେ ଟେକ୍ନିସିଆନ, ଇଏସଆଇ ନିର୍ଦ୍ଦେଶାଳୟର ୯ ଜଣ ଓଟି ଆସିଷ୍ଟାଣ୍ଟ, ୪୮ ଜଣ ହସ୍ତଶିଳ୍ପ ପ୍ରୋତ୍ସାହନ ଅଧିକାରୀ, ୭ ଜଣ ସମବାୟ ସମିତି ନିରୀକ୍ଷକ, ହସ୍ତଶିଳ୍ପ ନିର୍ଦ୍ଦେଶାଳୟରେ ୩ ଜଣ ଅଡିଟର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ୧୧ ଜଣ କନିଷ୍ଠ ଆସିଷ୍ଟାଣ୍ଟ, କାରଖାନା ଓ ବଏଲର ନିର୍ଦ୍ଦେଶାଳୟରେ ୯ ଜଣ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୧୦୪ ଜଣ ଯୋଗାଣ ନିରୀକ୍ଷକ ଯୋଗ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି କହିଥିଲେ ଯେ, “ନୂଆ କରି ନିଯୁକ୍ତି ପାଇଥିବା ସମସ୍ତ ଅଧିକାରୀଙ୍କ ଏକମାତ୍ର ଉଦ୍ଦେଶ୍ୟ ରହିବା ଦରକାର ଯେ ଓଡ଼ିଶାବାସୀଙ୍କ ସେବା କରିବା। ଆମେ ଭିନ୍ନ ଭିନ୍ନ ପଦବୀରେ କାମ କରିପାରିବା, କିନ୍ତୁ ଶେଷରେ ଆମେ ସମସ୍ତେ ସରକାରୀ କର୍ମଚାରୀ। ଆମର ଅନ୍ତିମ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ଉନ୍ନତି। ଓଡ଼ିଶାର ସାଢ଼େ ଚାରି କୋଟି ଲୋକ ତାଙ୍କ ପରିବାରର ସଦସ୍ୟ ତେଣୁ ଲୋକ ମାନଙ୍କୁ ପରିବାର ସଦସ୍ୟ ଭଳି ବ୍ୟବହାର କରିବା ଉଚିତ।

୫-ଟି ଇନିସିଏଟିଭ୍ ଜରିଆରେ ଆମେ ପ୍ରଶାସନରେ ଅଧିକ ସ୍ୱଚ୍ଛତା, ଦଳଗତ କାର୍ଯ୍ୟ, ପ୍ରଯୁକ୍ତି ବିଦ୍ୟା ଏବଂ ସମୟୋପଯୋଗୀତାକୁ ସୁନିଶ୍ଚିତ କରିଛୁ। ନିଜ ନିଜ କ୍ଷେତ୍ରରେ ଆଶାନୁରୂପ ପରିବର୍ତ୍ତନ ଆଣିବା ପାଇଁ ସେ ନୂଆ ଅଧିକାରୀମାନଙ୍କୁ ୫-ଟି ପଦକ୍ଷେପ ଅନୁସରଣ କରିବାକୁ ଆହ୍ୱାନ ଦେବା ସହ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ପାଇଁ ସମସ୍ତଙ୍କୁ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଶ୍ରମ ଓ ଇଏସଆଇ ମନ୍ତ୍ରୀ ସାରଦା ପ୍ରସାଦ ନାୟକ କହିଥିଲେ ଯେ ଓଡ଼ିଶା ଏବେ ଅନେକ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ରହିଛି। ରାଜ୍ୟରେ ହୋଇଥିବା ଅଭୂତପୂର୍ବ ପରିବର୍ତ୍ତନର ସୁଫଳ ଓଡ଼ିଶାବାସୀ ପାଉଛନ୍ତି।

ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରମ ଓ ଇଏସଆଇ ବିଭାଗର କମିଶନର ତଥା ସଚିବ ଆର୍ ଏସ୍ ଗୋପାଳନ୍ ଧନ୍ୟବାଦ ଅର୍ପଣ କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଶାସନ ସଚିବ ବୀର ବିକ୍ରମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।