ସ୍ୱଦେଶୀ ଷ୍ଟାର୍ଟଅପ୍ ଉପରେ ନିବେଶ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଆଗାମୀ ୨୫ ବର୍ଷ ଭିତରେ ଭାରତ ହେବ ଅନଷ୍ଟପେବୁଲ • ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭାରତ ଉତ୍କର୍ଷ ହାସଲ କରିବ • ଆମର ସାମୂହିକ ବୁଦ୍ଧିମତାକୁ ରାଷ୍ଟ୍ର ନିର୍ମାଣରେ ବ୍ୟବହାର କରାଯିବା ଉଚିତ୍ • ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ସାମୂହିକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା

ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ୍ ଆସୋସିଏସନର ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୧/୦୨/୨୦୨୪: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ(ଆଇମା)ର ୬୮ତମ ପ୍ରତିଷ୍ଠା ଦିବସ ଏବଂ ୧୮ତମ ଜାତୀୟ ମ୍ୟାନେଜମେଣ୍ଟ ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ନିବେଶ କରିବା ପାଇଁ ଶିଳ୍ପ ସମାଜକୁ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତ ହେବ ଅନଷ୍ଟପେବୁଲ । ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥନୀତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭାରତ ଉତ୍କର୍ଷତା ହାସଲ କରିବ । ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଆହୁରି ସମ୍ପ୍ରସାରଣ କରିବା ପାଇଁ ସ୍ୱଦେଶୀ ଷ୍ଟାର୍ଟଅପ୍ ଗୁଡ଼ିକ ଉପରେ ଅଧିକ ଭରସା କରିବା ଏବଂ ପୁଞ୍ଜିନିବେଶ କରିବା ଆବଶ୍ୟକ । ଅଲ୍ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନ ପରି ଅନୁଷ୍ଠାନ ଗୁଡିକ ଏ ଦିଗରେ ନିଜର ଦାୟିତ୍ୱ ନିର୍ବାହ କରିବା ଜରୁରୀ । ଲୋକମାନଙ୍କୁ ସେମାନଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ମାର୍ଗଦର୍ଶନ ଦେବା ସହିତ ଭାରତର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବା ଦିଗରେ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ସେମାନଙ୍କ ଭୂମିକା ପ୍ରତିପାଦିତ କରିବା ଦରକାର।

ସେ କହିଛନ୍ତି ଯେ ଆମର ସାମୂହିକ ବୁଦ୍ଧିମତାକୁ ରାଷ୍ଟ୍ର ନିର୍ମାଣରେ ବ୍ୟବହାର କରାଯିବା ଉଚିତ୍ । ଏହି କଥାକୁ ଆମ ଭିତରେ ସୀମିତ ନ ରଖି ପରବର୍ତ୍ତୀ ପିଢ଼ି ପାଖରେ ମଧ୍ୟ ପହଞ୍ଚାଇବା ଦରକାର । ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ଏହା ଦ୍ୱାରା ବିପୁଳ ସୁଯୋଗ ସୃଷ୍ଟି ହେବ। ଏହି ସୁଯୋଗର ବ୍ୟବହାର କରିବା ସହ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଏକ ସାମୂହିକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ଆମ ଆଗରେ ଚ୍ୟାଲେଞ୍ଜ ରହିଛି । ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ବିଚାରବିମର୍ଶ କରିବା ପାଇଁ ଶ୍ରୀ ପ୍ରଧାନ ଶିଳ୍ପ ସମାଜକୁ ପରାମର୍ଶ ଦେଇଥିଲେ ।

ଅଲ୍ ଇଣ୍ଡିଆ ମ୍ୟାନଜମେଣ୍ଟ ଆସୋସିଏସନର ପ୍ରତିଷ୍ଠା ଦିବସ ପାଇଁ ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇବା ସହ ମ୍ୟାନେଜମେଣ୍ଟ, ସମାଜସେବା ଏବଂ ଥଟ୍ ଲିଡରସିପ୍ ନେତୃତ୍ୱ ପାଇଁ ପୁରସ୍କୃତ ହୋଇଥିବା ସମସ୍ତ ବିଶିଷ୍ଟ ଶିଳ୍ପପତିଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।