ମାଘ ମାସରେ ବାଘ ଭଳି ଖରା

ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢିବା ସହ ଅସମ୍ଭାଳ ତାତିରେ ଜନସାଧାରଣଙ୍କୁ ବାହାରକୁ ବାହାରିବା ମୁସ୍କିଲ ହୋଇଗଲାଣି। ଆଇଏମଡି ଅନୁସାରେ, ସାଧାରଣ ତାପମାତ୍ରା ଠାରୁ ୨ରୁ ୪ ଡିଗ୍ରୀ ବଢୁଛି।

ଏବେଠୁ ଅସମ୍ଭାଳ ତାତି; ଶୀତ କୁଆଡେ ଉଭାନ

ଭୁବନେଶ୍ବର, ୨୨/୦୨/୨୦୨୪: ଓଡ଼ିଆରେ କଥା ଅଛି, ମାଘ ମାସରେ ବାଘ ଭଳି ଶୀତ ହୁଏ। କିନ୍ତୁ ଚଳିତ ବର୍ଷ ମାଘ ମାସରେ ବାଘ ଭଳି ଖରା ଅନୁଭୂତ ହେଉଛି। ରାଜ୍ୟରେ ଫେବୃଆରୀ ମାସରେ ସାଧାରଣତଃ ଥଣ୍ଡା ଲାଗିବା କଥା। କିନ୍ତୁ ଚଳିତବର୍ଷ ଫେବୃଆରୀ ମାସରେ ଏତେ ଖରା ଅନୁଭୂତ ହେଉଛି ଯେ ବାହାରକୁ ବାହାରିବା ଏବେଠାରୁ ଅସମ୍ଭବ ହୋଇଗଲାଣି। ସକାଳ ୯ଟାରୁ ମଧ୍ୟ ଟାଣ ଖରା ଦେଖାଯାଉଛି।

ଏବେ ତାପମାତ୍ରା ଯେତିକି ରହିବା କଥା, ହଠାତ୍ ତାଠାରୁ ୨ରୁ ୪ ଡିଗ୍ରୀ ଅଧିକ ବଢି ଯାଉଛି। ଦିନ ଓ ରାତିର ତାପମାତ୍ରା ବଢିବାରେ ଲାଗିଛି। ଆଜି ସକାଳ ୯ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୪ ଡିଗ୍ରୀ ଛୁଇଁଛି। ଗତକାଲି ଭୁବନେଶ୍ୱରରେ ପାରଦ ୩୬ ଡିଗ୍ରୀ ରହିଥିଲା। ଖାଲି ଭୁବନେଶ୍ବର ନୁହେଁ, ଅଧା ଓଡ଼ିଶା ଟାଣ ଖରାରେ ଅସ୍ତବ୍ୟସ୍ତ ହୋଇପଡିଲାଣି। ଆଗକୁ ମଧ୍ୟ ଏପରି ତାତି ଲାଗି ରହିବ ବୋଲି ଜଣାପଡ଼ିଛି। ଆସନ୍ତା ୨୭ ତାରିଖରୁ ତାତି ଆହୁରି ବଢିବ। ଝାରସୁଗୁଡ଼ା, ଭବାନୀପାଟଣା, ବଲାଙ୍ଗୀର, ଚାନ୍ଦବାଲି, ଜଗତସିଂହପୁର ଓ କଟକରେ ମଧ୍ୟ ସମାନ ଅବସ୍ଥା।

ଆଇଏମଡି ଅନୁସାରେ, ଯେଉଁଠାରେ ଦିନ ତାପମାତ୍ରା ୩୩-୩୯ ଡିଗ୍ରୀ ଓ ରାତି ତାପମାତ୍ରା ୧୬ରୁ ୧୯ ଡିଗ୍ରୀ ରହିଛି, ସେଠାରେ ବ୍ରେନ ମ୍ୟାଲେରିଆ ଆଶଙ୍କା ଅଧିକ ରହିଛି। ଏ ନେଇ ଓଡ଼ିଶା ପାଇଁ ସତର୍କବାଣୀ ଜାରି କରାଯାଇଛି। ତାତି ପାଇଁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସତର୍କ ହୋଇଗଲାଣି। ପ୍ରତି ହସ୍ପିଟାଲରେ ଅଂଶୁଘାତ ଲାଗି ସ୍ୱତନ୍ତ୍ର ବେଡ୍ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ରାଜ୍ୟରେ ତାପମାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ଏଥିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିବା ସହ ଅଂଶୁଘାତ ପାଇଁ ପ୍ରସ୍ତୁତ ରହିବାକୁ ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ତାପମାତ୍ରା ବଢୁଥିବାରୁ ବରିଷ୍ଠ ନାଗରିକ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଅଂଶୁଘାତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସଓପି ଜାରି କରାଯିବା ସହ ସବୁ ମେଡିକାଲରେ ଔଷଧ ସହ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ଆସନ୍ତା ୨୩ ତାରିଖଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୩ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ବୌଦ୍ଧ ଓ କନ୍ଧମାଳରେ ସାମାନ୍ୟ ବର୍ଷା ହେବାକୁ ଥିବା ବେଳେ ୨୪ରୁ ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।