ନିଯୁକ୍ତି ପର୍ବ: ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତ

ଶିକ୍ଷା ହିଁ ଗୋଟିଏ ଜାତିର ଚେତନାରେ ପରିବର୍ତ୍ତନ ଆଣିଥାଏ। ୫-ଟି ସ୍କୁଲ ରୂପାନ୍ତର ଯୋଗୁ ଶିକ୍ଷାର ଗୁଣାତ୍ମକ ମାନରେ ଉନ୍ନତି ଆସିଛି।

ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ପିଲାଙ୍କ ପାଇଁ ଆଦର୍ଶ ସୃଷ୍ଟି କରନ୍ତୁ: ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର, ୨୨.୦୨.୨୪: ଆଜି ଲୋକସେବା ଭବନସ୍ଥିତ କନ୍‌ଭୋନସନ ସେଣ୍ଟରରେ ଏକ ନିଯୁକ୍ତି ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ପର୍ବରେ ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୫୭୬ ଜଣ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକ ଅଛନ୍ତି।

ଏହି ଅବସରରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି କହିଥିଲେ ଯେ ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ। ଛାତ୍ରଛାତ୍ରୀଙ୍କୁ ବଡ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ। ଏହାସହିତ ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଏହି ଲକ୍ଷ୍ୟ ନେଇ ଆମର ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଲେ ଯେ ଏହାଦ୍ବାରା ରାଜ୍ୟର ସ୍କୁଲ ଗୁଡିକର ଭିତ୍ତିଭୂମି ଓ ପରିବେଶରେ ସମ୍ପୂର୍ଣ୍ଣ ରୂପାନ୍ତର ଆସିଛି। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲ ଗୁଡିକରେ ଶିକ୍ଷାର ଗୁଣାତ୍ମକ ମାନରେ ଉଲ୍ଲେଖନୀୟ ବୃଦ୍ଧି ଆସିପାରିଛି। ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜରିଆରେ ୪୬୦୫ଟି ନୂଆ କ୍ଲାସରୁମ୍‌, ୧୬,୯୨୦ଟି ସ୍ମାର୍ଟ କ୍ଲାସରୁମ, ୭୮୬୩ଟି ଆଧୁନିକ ଲାବୋରେଟୋରୀ, ୭୯୨୦ଟି ଇ-ଲାଇବ୍ରେରୀ ସୃଷ୍ଟି କରାଯାଇଛି। ରାଜ୍ୟରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ୫-ଟି ମନ୍ତ୍ର ଆଧାରରେ ଶିକ୍ଷା ବିଭାଗ ଏବେ ଶୀର୍ଷରେ ପହଞ୍ଚି ପାରିଛି। ଶିକ୍ଷାର ମାନ ବୃଦ୍ଧି ହେଲେ, ଦେଶର ବିକାଶ ହୁଏ ବୋଲି ସେ ମତ ଦେଇ ଶିକ୍ଷକ ମାନଙ୍କୁ ପିଲାଙ୍କ ନୈତିକ ଵ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ।