ଓଡ଼ିଶା ସରକାର ଓ କଲ୍ୟାଣୀ ଷ୍ଟିଲ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର

ଟାଇଟାନିୟମ ମେଟାଲ ଏବଂ ଏରୋସ୍ପେସ୍ ଯନ୍ତ୍ରାଂଶ ଉତ୍ପାଦନ, ସମନ୍ୱିତ ଉନ୍ନତ ସ୍ପେଶାଲିଟି ଇସ୍ପାତ ଏବଂ ଅଟୋମୋଟିଭ୍ କମ୍ପୋନେଣ୍ଟ ଉତ୍ପାଦନ କମ୍ପ୍ଲେକ୍ସ ଖୁବଶୀଘ୍ର ନିର୍ମାଣ ହେବ।

୧୧,୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ

ଭୁବନେଶ୍ଵର, ୨୩/୦୨/୨୦୨୪: ଓଡ଼ିଶାରେ ଟାଇଟାନିୟମ ମେଟାଲ ଓ ଏରୋସ୍ପେସ୍ କମ୍ପୋନେଣ୍ଟସ୍ ଉତ୍ପାଦନ ଏବଂ ସମନ୍ୱିତ ଉନ୍ନତ ସ୍ପେଶାଲିଟି ଷ୍ଟିଲ୍ ଏବଂ ଅଟୋମୋଟିଭ୍ କମ୍ପୋନେଣ୍ଟସ୍ ଉତ୍ପାଦନ କମ୍ପ୍ଲେକ୍ସ ପ୍ରତିଷ୍ଠା ପାଇଁ କଲ୍ୟାଣୀ ଷ୍ଟିଲ୍ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଢେଙ୍କାନାଳର ଗଜମରାଠାରେ ୧୧,୭୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଏହି କମ୍ପ୍ଲେକ୍ସରେ ୧୦,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କଲ୍ୟାଣୀ ଷ୍ଟିଲର ଏକ ଟାଇଟାନିୟମ ମେଟାଲ ଆଣ୍ଡ ଆଲୟ ମିଲ, ଏରୋସ୍ପେସ୍ କମ୍ପୋନେଣ୍ଟ ସୁବିଧା ଏବଂ ଏକ ସମନ୍ବିତ ଅଟୋମୋଟିଭ୍ କମ୍ପୋନେଣ୍ଟ ୟୁନିଟ୍ ସମେତ ପ୍ରକଳ୍ପକୁ ସ୍ୱାଗତ କରି ଓଡ଼ିଶା ଏକ ଅତ୍ୟନ୍ତ ଉନ୍ନତ ଏବଂ ନିର୍ଦ୍ଦିଷ୍ଟ ଉତ୍ପାଦନ କ୍ଷେତ୍ରରେ ନିଜର ବୃହତ୍ ପ୍ରବେଶ କରିଛି। ୧୧,୭୫୧ କୋଟି ଟଙ୍କା ବିନିଯୋଗ ରେ ଏହି ଉଦ୍ୟୋଗ ଆମର ଶିଳ୍ପ କ୍ଷେତ୍ରରେ ବିପ୍ଳବ ଆଣିବ ଏବଂ ଅତ୍ୟନ୍ତ ଦକ୍ଷତା ଭିତ୍ତିକ ବାଣିଜ୍ୟରେ ୧୦,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଏହି ପ୍ରକଳ୍ପ ଏମଏସଏମଇର ଅଭିବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହିତ କରିବ।

କଲ୍ୟାଣୀ ଷ୍ଟିଲ୍ସ ଲିମିଟେଡ୍ ର ନିର୍ଦେଶକ ଅମିତ କଲ୍ୟାଣୀ ପାରସ୍ପରିକ ଅଭିବୃଦ୍ଧି ଓ ସମୃଦ୍ଧିର ପ୍ରତିଶ୍ରୁତି ଦେଇ ଓଡ଼ିଶା ସହ ଦୀର୍ଘଦିନର ସମ୍ପର୍କରେ ଏହି ପ୍ରକଳ୍ପର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।