ବଢିଲା ସ୍ବାବଲମ୍ବୀ କାରିଗରଙ୍କ ପାରିଶ୍ରମିକ

ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଥିବା ସ୍ବାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗ୍ରାମ ପଞ୍ଚାୟତ ସ୍ତରରେ ଉପକୃତ ହେବେ ୧୩ ହଜାର

ଭୁବନେଶ୍ବର, ୨୩/୦୨/୨୦୨୪: ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଥିବା ସ୍ବାବଲମ୍ବୀ କାରିଗରଙ୍କ ବଢିଲା ପାରିଶ୍ରମିକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦରମା ବୃଦ୍ଧି କରାଯାଇଛି। ସେମାନଙ୍କର ବର୍ତ୍ତମାନର ପାରିଶ୍ରମିକ ୪,୦୦୦ ଟଙ୍କା ଥିବା ବେଳେ ନୂତନ ପାରିଶ୍ରମିକ ୬,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହାଫଳରେ ରାଜ୍ୟର ମୋଟ ୧୩ ହଜାର ସ୍ବାବଲମ୍ବୀ କାରିଗର ଏଥିରୁ ଉପକୃତ ହେବେ।

ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ଗାଁକୁ ନିୟମିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ପାଇଁ ଗ୍ରାମ ପଞ୍ଚାୟତରେ ଥିବା ଦୁଇ ଜଣ ଲେଖାଏଁ ସ୍ବାବଲମ୍ବୀ କାରିଗର କାର୍ଯ୍ୟରତ ଅଛନ୍ତି। ଏହି ସ୍ବାବଲମ୍ବୀ କାରିଗରମାନେ ପାଇପ୍ ଜଳ ଯୋଗାଣ, ରକ୍ଷଣାବେକ୍ଷଣ ଏବଂ ନଳକୂପ ମରାମତି ପାଇଁ ଗ୍ରାମମାନଙ୍କରେ ନିରନ୍ତର ସେବା ପ୍ରଦାନ କରୁଛନ୍ତି। କିନ୍ତୁ ସେମାନଙ୍କର ସ୍ୱଳ୍ପ ପାରିଶ୍ରମିକ ଥିବାରୁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ସ୍ବାବଲମ୍ବୀ କାରିଗର ଓ ପ୍ରତିନିଧିଙ୍କ ପକ୍ଷରୁ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଆସିଥିଲା। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ସେ ସ୍ବାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।