ଓଡ଼ିଶା ଅପ୍ ସ୍କିଲିଂ ଆଣ୍ଡ ପ୍ଲେସମେଣ୍ଟ ପ୍ରୋଗ୍ରାମ ଅଧୀନରେ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କଲେ ପାଣ୍ଡିଆନ

୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଅପ୍ ସ୍କିଲିଂ ଆଣ୍ଡ ପ୍ଲେସମେଣ୍ଟ ପ୍ରୋଗ୍ରାମ ଅଧୀନରେ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିଛନ୍ତି।

ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଗଣା ବୋର୍ଡିଂ ସୁବିଧା

ଭୁବନେଶ୍ଵର, ୧୩/୦୩/୨୦୨୪: ଗତକାଲି କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଅପ୍ ସ୍କିଲିଂ ଆଣ୍ଡ ପ୍ଲେସମେଣ୍ଟ ପ୍ରୋଗ୍ରାମ (ଓୟୁପି) ଅଧିନରେ ପ୍ରଶିକ୍ଷଣ ନେଉଥିବା ୧୮୧ ଜଣ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସୂଚନା ପ୍ରଯୁକ୍ତି ବିଦ୍ୟାରେ ଦକ୍ଷତା ବିକାଶ ଏବଂ ୧୦୦% ନିଯୁକ୍ତି ସହାୟତା ପ୍ରଦାନ କରିବା। ଏଥିରେ ୬ ମାସର ପାଠ୍ୟକ୍ରମ ଅବଧି ମଧ୍ୟରେ ସମସ୍ତ ମନୋନୀତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବୋର୍ଡିଂ ସୁବିଧା ମଧ୍ୟ ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମ ରିକ୍ରୁଟ୍, ଟ୍ରେନ୍ ଆଣ୍ଡ ଇମ୍ପ୍ଲୋଏମେଣ୍ଟ୍ ଆପ୍ରୋଚ୍ ଉପରେ ଆଧାରିତ, ଯେଉଁଥିରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ବିଟେକ୍, ଏମସିଏ ଏବଂ ଏମ୍ଏସସି ଯୋଗ୍ୟତା ଥିବା ଆଶାୟୀ ଛାତ୍ରଛାତ୍ରୀଙ୍କୁ ସାରା ରାଜ୍ୟରୁ ଚୟନ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପୁରୁଷ ଓ ଛାତ୍ରୀମାନେ ସମାନ ପ୍ରତିନିଧିତ୍ୱ କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦାନ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ତିନୋଟି ଅତ୍ୟାଧୁନିକ ଆଧୁନିକ ଆଇଟି ଲ୍ୟାବ୍ ପ୍ରତିଷ୍ଠା କରାଯାଇଥିଲା ଏବଂ ଟେକ୍ ମହିନ୍ଦ୍ରାକୁ ଏହି କାର୍ଯ୍ୟକ୍ରମର ବୈଷୟିକ ଅଂଶୀଦାର ଭାବରେ ଚୟନ କରାଯାଇଥିବା ବେଳେ ଟାଟା ଷ୍ଟିଲ ଫାଉଣ୍ଡେସନ ଦକ୍ଷତା ଅଂଶୀଦାର ଥିଲା।

ଉଲ୍ଲେଖଯୋଗ୍ୟ, ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଟେକ୍ ମହିନ୍ଦ୍ରାରେ ସଫଳତାର ସହ ନିଯୁକ୍ତି ଦିଆଯାଇଛି, ଯାହାର ବାର୍ଷିକ ପ୍ୟାକେଜ୍ ୪.୨୫ ଲକ୍ଷ ରହିଛି। ପାଣ୍ଡିଆନ୍ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରି କହିଥିଲେ, ଶିକ୍ଷିତ ପ୍ରତିଭାବାନ ଯୁବକଯୁବତୀଙ୍କୁ ସର୍ବୋତ୍ତମ ପ୍ରଶିକ୍ଷଣ ଓ ନିଯୁକ୍ତି ସେବା ଯୋଗାଇଦେବା ପାଇଁ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା ଏକ ଡ୍ରିମ୍ ପ୍ରୋଜେକ୍ଟ। ପ୍ରଥମ ବ୍ୟାଚ୍ ବହୁତ ଭଲ ପ୍ରଦର୍ଶନ କରିଥିବା ବେଳେ ଖୁବଶୀଘ୍ର ପରବର୍ତ୍ତୀ ବ୍ୟାଚ୍ ଆରମ୍ଭ କରାଯିବ ଏବଂ ସରକାର ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରିବା ସହ ଅଧିକ ପ୍ରଶିକ୍ଷାର୍ଥୀଙ୍କ ସହ ଏହାକୁ ବ୍ୟାପକ କରିବାକୁ ଚାହିଁବେ ବୋଲି ସେ କହିଛନ୍ତି।