ବରୁଣେଇ ମନ୍ଦିରର ଅଗ୍ରଗତି ନେଇ ପାଣ୍ଡିଆନଙ୍କ ସମୀକ୍ଷା

୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଖୋର୍ଦ୍ଧାର ମା' ବରୁଣେଇ ମନ୍ଦିର ଓ ଭୁବନେଶ୍ୱରର କପିଳେଶ୍ୱର ମନ୍ଦିର ପରିଦର୍ଶନ କରିଛନ୍ତି।

କପିଳେଶ୍ୱର ମନ୍ଦିର ସେବାୟତଙ୍କ ସହ ଆଲୋଚନା

ଭୁବନେଶ୍ଵର, ୧୪/୦୩/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳ ସାଢ଼େ ୫ଟାରେ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ମନ୍ଦିର ପରିଦର୍ଶନ କରିଥିଲେ।

ପାଣ୍ଡିଆନ ଖୋର୍ଦ୍ଧାରେ ମା’ ବରୁଣେଇ ମନ୍ଦିରର ବିକାଶର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ପୂର୍ତ୍ତ ବିଭାଗ ସଚିବ ଓ ଜିଲ୍ଲାପାଳଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ।

ଏହାପରେ ସେ ଭୁବନେଶ୍ୱରର କପିଳେଶ୍ୱର ମନ୍ଦିର ପରିଦର୍ଶନ କରି ମନ୍ଦିରର ବିକାଶ ଦିଗର ସମୀକ୍ଷା କରିଥିଲେ। ଏଏସଆଇ ସହ ଆଲୋଚନା କରି ଖୁବଶୀଘ୍ର ମନ୍ଦିରର ସାମଗ୍ରିକ ବିକାଶ କରାଯିବ ବୋଲି ସେ ମନ୍ଦିର ପରିଚାଳନା କମିଟି, ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଶ୍ରୀମନ୍ଦିର କମିଟି ଓ ସେବାୟତମାନଙ୍କ ସହ ବିସ୍ତୃତ ଆଲୋଚନା କରି ମନ୍ଦିର ଓ ଆଖପାଖ ଅଞ୍ଚଳର ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ କହିଛନ୍ତି।

ଜାତୀୟ ରାଜପଥ ୩୧୬ (ଗଙ୍ଗୁଆ ନାଳ ନିକଟ) ଠାରୁ କପିଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତା ପ୍ରକଳ୍ପ ସମ୍ପର୍କରେ ସେ ପୂର୍ତ୍ତ ସଚିବଙ୍କ ସହ ଆଲୋଚନା କରିଥିଲେ। ଜମି ଅଧିଗ୍ରହଣ ପାଇଁ ୩୦ କୋଟି ଟଙ୍କା ସମେତ ମୋଟ ୫୦ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଉଛି। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।