କଂଗ୍ରେସ ଦେବ ମାସିକ ୩୦୦୦ ବେକାରୀ ଭତ୍ତା

ଆଜି କଂଗ୍ରେସ ପକ୍ଷରୁ ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ଜାରି କରାଯାଇଛି।

କଂଗ୍ରେସ ଦେଲା ଗ୍ୟାରେଣ୍ଟି

ଭୁବନେଶ୍ୱର,୧୫/୦୩/୨୦୨୪: ନିର୍ବାଚନ ପାଇଁ କଂଗ୍ରେସ ଦେଲା ପ୍ରତିଶ୍ରୁତି। ରାଜ୍ୟରେ ଭୋଟ ହାତେଇବା ପାଇଁ ଜନସାଧାରଣଙ୍କ ପାଖରେ ରଖିଛି ପ୍ରତିଶ୍ରୁତି ଓ ଗ୍ୟାରେଣ୍ଟି। ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶା ପାଇଁ ଦଳୀୟ ଇସ୍ତାହାର ଜାରି କରିଛି। କଂଗ୍ରେସ ରାଜ୍ୟର ଭୋଟରଙ୍କୁ ୯୦ଟି ପ୍ରତିଶ୍ରୁତି ଓ ୯ଟି ‘ଗ୍ୟାରେଣ୍ଟି’ ଦେଇଛି।

ଓପିସିସି ସଭାପତି ଶରତ ପଟ୍ଟନାୟକ, ଦଳର ରାଜ୍ୟ ପ୍ରଭାରୀ ଅଜୟ କୁମାର ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା ସହ ବୋନସ୍ ପ୍ରଦାନ।
କୃଷି ଋଣ ଛାଡ଼ ଓ ଚାଷୀଙ୍କୁ ମାସିକ ୨ ହଜାର ଟଙ୍କା ପେନସନ୍।
ଓଡ଼ିଶାରେ କ୍ଷମତାକୁ ଆସିଲେ ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ମାଗଣା ବିଜୁଳି।
ପାଖାପାଖି ୫ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଏବଂ ୩ ବର୍ଷ ପାଇଁ ମାସିକ ୩ ହଜାର ଟଙ୍କା ବେକାରୀ ଭତ୍ତା।
ଗୃହ ଲକ୍ଷ୍ମୀ ଯୋଜନାରେ ବୟସ୍କ, ବିଧବା ଓ ଭିନ୍ନକ୍ଷମ (ପିଡବ୍ଲ୍ୟୁଡି) ଏବଂ ପରିବାରର ମୁଖ୍ୟ (ମହିଳା)ଙ୍କୁ ମାସିକ ୨,୦୦୦ ଟଙ୍କା ଭତ୍ତା।
ପ୍ରତି ପରିବାରକୁ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର।
ସରକାରୀ ଓ ବେସରକାରୀ ହସ୍ପିଟାଲରେ ସମସ୍ତଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସେବା।
ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ଋଣ ଛାଡ଼।
ଶିକ୍ଷାନୁଷ୍ଠାନ ଓ ସେବା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ।
କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ଦଳ ସାମାଜିକ ଓ ଅର୍ଥନୈତିକ ସର୍ଭେ କରି ଅଭାବୀ ଲୋକଙ୍କୁ ୩୫ କେଜି ଚାଉଳ, ୧ କେଜି ଲୁଣ, ୧ କେଜି ରନ୍ଧନ ତେଲ, ୧ କେଜି ଡାଲି ଓ ୨୫୦ ଗ୍ରାମ ହଳଦୀ ଯୋଗାଇ ଦେବ ବୋଲି ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି।