ବିଜେଡ଼ିରେ ଯୋଗ ଦେଲେ ସୋର ପୌରପରିଷଦ ଅଧ୍ୟକ୍ଷ ମାଧବ ଧଡ଼ା

ବାଲେଶ୍ୱର ଜିଲ୍ଲା ସୋର ପୌରପରିଷଦର ଅଧ୍ୟକ୍ଷ ମାଧବ ଧଡ଼ା ଓ ତାଙ୍କ ସମର୍ଥକ ମାନେ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର, ୧୯/୦୩/୨୦୨୪: ବାଲେଶ୍ୱର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୋର ପୌରପରିଷଦର ଅଧ୍ୟକ୍ଷ ଶ୍ରୀ ମାଧବ ଧଡ଼ା ତାଙ୍କ ସମର୍ଥକଙ୍କ ସହିତ ଅନେକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରତାପ ଜେନା ଓ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଶ୍ରୀ ଜେନା ଓ ଶ୍ରୀ ପର୍ଶୁରାମ ଧଡ଼ା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ମାଧବ ଧଡ଼ା, ବରିଷ୍ଠ ବିଜେପି ନେତା ଶେଖ ଲିଆକତ୍ ଅଲ୍ଲୀ, ଦିଲ୍ଲୀପ କୁମାର କର, ଜନ୍ମେଜୟ ପଣ୍ଡା ଓ ତାଙ୍କ ସମର୍ଥକଙ୍କ ଯୋଗଦାନ ଫଳରେ ବିଶେଷ କରି ସୋର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଜେନା ଓ ଶ୍ରୀ ପର୍ଶୁରାମ ଧଡ଼ା କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ମାଧବ ଧଡ଼ା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ଦଳରେ ମୋତେ ଓ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।