ନାରୀ ଶକ୍ତିର ଅନନ୍ୟ ଉଦାହରଣ ‘ସଖି ବୁଥ୍’

ଓଡ଼ିଶାର ପ୍ରତିଟି ଜିଲ୍ଲାରେ କାର୍ଯ୍ୟ କରିବ ସଖି ବୁଥ୍।

ନିର୍ବାଚନର ପର୍ବ, ଆମ ଦେଶର ଗର୍ବ

ଭୁବନେଶ୍ବର, ୧୯/୦୩/୨୦୨୪: ‘ନିର୍ବାଚନର ପର୍ବ, ଆମ ଦେଶର ଗର୍ବ’- ଭାରତ ନିର୍ବାଚନ କମିଶନ ଏହି ଥିମକୁ ଗ୍ରହଣ କରି ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ରେ ଦେଶର ସମସ୍ତ ବର୍ଗର ଅଂଶଗ୍ରହଣକୁ ବଢାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ନିର୍ବାଚନକୁ ଭାରତୀୟ ଗଣତନ୍ତ୍ରର ମହାପର୍ବ ରୂପେ ପାଳନ କରିବା ପାଇଁ ଦେଶର ସମସ୍ତ ବର୍ଗକୁ ମତଦାନର ମହାସ୍ରୋତରେ ସାମିଲ କରିବାର ମହତ୍ତ୍ୱର ଲକ୍ଷ୍ୟ ନେଇ କମିଶନଙ୍କ କାର୍ଯ୍ୟ ଚାଲିଛି। ସେହି ମଧ୍ୟରେ ଏକ ଅନନ୍ୟ ଚେଷ୍ଟା ହେଉଛି ‘ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ବୁଥ୍-ସଖି ବୁଥ୍’।

ସଖି ବୁଥ୍ ହେଉଛି ଏକ ମଡେଲ ବୁଥ୍ ଯାହା ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ। ଯେଉଁ ଅଞ୍ଚଳରେ ମହିଳାମାନଙ୍କ ମତଦାନ ହାର କମ୍ ରହୁଥିବାର ଲକ୍ଷ୍ୟ କରାଯାଉଛି, ସେଠି ‘ସଖି ବୁଥ୍’ କରାଯାଇ ମହିଳା ମତଦାନ ହାର ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସଖି ବୁଥରେ ପ୍ରୀଜାଇଡିଂ ଅଫିସର, ପୋଲିଂ ଅଫିସର, ସୁରକ୍ଷା କର୍ମୀ ଏବଂ ଅନ୍ୟ କର୍ମଚାରୀ ସମସ୍ତେ ଜଣେ ଜଣେ ମହିଳା। ସଖି ବୁଥରେ ପୋଲିଂ ଏଜେଣ୍ଟ ଭାବରେ ମହିଳା ମାନଙ୍କୁ ନିୟୋଜିତ କରିବା ପାଇଁ ରାଜନୈତିକ ଦଳ ଓ ପ୍ରାର୍ଥୀ ମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି। ଏଠାରେ ନିୟୋଜିତ ହେବାକୁ ଥିବା ମହିଳା କର୍ମଚାରୀମାନେ କୌଣସି ମଧ୍ୟ ରଙ୍ଗର ପୋଷାକ ଓ ଶାଢି ପିନ୍ଧି ପାରିବେ। ମାତ୍ର ସେମାନେ ଓଡ଼ିଶାର ହସ୍ତତନ୍ତର ଯେକୌଣସି ପୋଷାକ ବା ଶାଢି ପିନ୍ଧିବା ପାଇଁ ଉତ୍ସାହିତ କରାଯାଉଛି।

‘ସଖି ବୁଥ୍’ ଗୁଡିକରେ ମଧ୍ୟ ଅନ୍ୟ ମଡେଲ୍ ବୁଥ୍ ଗୁଡିକ ପରି ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଓଡ଼ିଶାର ପ୍ରତିଟି ଜିଲ୍ଲାରେ ‘ସଖି ବୁଥ୍’ କାର୍ଯ୍ଯ କରିବ। ଭାରତୀୟ ଗଣତନ୍ତ୍ରର ମହାପର୍ବରେ ନାରୀ ଶକ୍ତି ଦ୍ୱାରା ପରିଚାଳିତ ଏହି ‘ସଖି ବୁଥ୍’ ଗୁଡିକ ସମଗ୍ର ବିଶ୍ୱ ପାଇଁ ଉଦାହରଣ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତବ୍ୟକ୍ତ କରିଛନ୍ତି। ଏହା ସହ ନାରୀଶକ୍ତିକୁ ନିର୍ବାଚନ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ରୂପେ ବର୍ଣ୍ଣନା କରି ସେ ଉଚିତ୍ ରୂପେ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି।

ଭାରତୀୟ ଗଣତନ୍ତ୍ରରେ କ୍ରମବର୍ଦ୍ଧିଷ୍ଣୁ ରୂପେ ମହିଳା ମାନଙ୍କର ଯୋଗଦାନ ବୃଦ୍ଧି ପାଉଛି। ନିର୍ବାଚନ ପ୍ରକ୍ରିୟାରେ ‘ସଖି ବୁଥ୍’ ତାହାର ଅନନ୍ୟ ଉଦାହରଣ। ସମସ୍ତ ସଖି ବୁଥରେ ମହିଳାମାନେ ଯେପରି ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ପରିବେଶ ମଧ୍ୟରେ କାର୍ଯ୍ୟ କରିବେ ସେଥି ପ୍ରତି ବିଶେଷ ରୂପେ ଧ୍ୟାନ ଦେବାକୁ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।