ସହି ହୁଏ ନାହିଁ ଟାଣ ଖରାକୁ, ମନ ଝୁରିଲାଣି ପଖାଳ ସାଙ୍ଗକୁ ବଡି ଚୂରାକୁ
ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି।
ପଖାଳ କଂସାରେ ଓଡ଼ିଆ ମନ ଓଡ଼ିଆ ପ୍ରାଣ
ଭୁବନେଶ୍ବର, ୨୦/୦୩/୨୦୨୪: ଓଡ଼ିଆରେ ଏକ ଢଗ ଅଛି- ସହି ହୁଏନାହିଁ ଟାଣ ଖରାକୁ, ମନ ଝୁରିଲାଣି ପଖାଳ ସାଙ୍ଗକୁ ବଡି ଚୂରାକୁ। ଖାଣ୍ଟି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ। ଧନୀଠାରୁ ଗରୀବ, ଛୋଟରୁ ବୃଦ୍ଧ ସଭିଙ୍କ ପ୍ରିୟ ପଖାଳ। କଂସାଏ ପଖାଳକୁ ବଡି ଚୂରା ଟିକେ ହେଇଗଲେ ଆଉ କିଛି ଦରକାର ପଡେ ନାହିଁ। ଯେତେ ଯାହା ଖାଇଲେ ବି ପଖାଳରେ ହିଁ ଓଡିଆଙ୍କ ଶାନ୍ତି ଥାଏ। ସଜ ପଖାଳ ହେଉ କି ବାସି ପଖାଳ ଚାଇଁ ପଖାଳ ହେଉ କି ଛୁଙ୍କ ପଖାଳ ହେଉ ସବୁଥିରେ ଥାଏ ସ୍ୱାଦ, ମହକ ଓ ତୃପ୍ତି।
ଓଡ଼ିଶାର ଏହି ପାରମ୍ପରିକ ପଖାଳ ଖାଦ୍ୟକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ୨୦୧୧ ମସିହାରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ବିଶ୍ୱ ପଖାଳ ଦିବସ। ସେବେଠୁ ମାର୍ଚ୍ଚ ମାସ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଆଜିର ଆଧୁନିକ ଯୁଗରେ ଲୋକମାନେ ଏବେ ବି ପାରମ୍ପରିକ ପଖାଳକୁ କିନ୍ତୁ ଭୁଲି ନାହାନ୍ତି। ପୂର୍ବରୁ ଚାଷୀ ଭାଇମାନେ ପଖାଳ ଖାଇ ଚାଷ କାମ କରିବାକୁ ବାହାରି ପଡୁଥିଲେ। କିନ୍ତୁ ଏବେ ପ୍ରତ୍ୟକ ବର୍ଗର ଲୋକଙ୍କ ଠାରୁ ଆରମ୍ଭ କରି ଘର, ହୋଟେଲ ଏବଂ ପାଞ୍ଚ ତାରକା ରେଷ୍ଟୁରାଣ୍ଟରେ ମଧ୍ୟ ପଖାଳକୁ ବିଭିନ୍ନ ପ୍ରକାରରେ ପରଷା ଯାଉଛି। ଗାଁଠୁ ସହର ସବୁଠି ପଖାଳ ଲୋକପ୍ରିୟ।
ପଖାଳ ଏକ ପାଲି ଭାଷା। ଏହି ଶବ୍ଦ ପଖାଳିବାରୁ ଆସିଛି। ଯାହାର ଅର୍ଥ ହେଉଛି ଧୋଇବା। ଗରମ ଭାତ ଥଣ୍ଡା ହେବା ପରେ ତାକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ଏପରି ନାମକରଣ କରାଯାଇଛି। ପଖାଳ ମୁଖ୍ୟତଃ ୨ ପ୍ରକାର ଥାଏ। ସଜ ପଖାଳ ଓ ବାସି ପଖାଳ। ଭାତ ରନ୍ଧା ସରିବା ପରେ ପଖାଳିକି ଥଣ୍ଡା ପାଣି ମିଶାଇ ଖାଉଥିବା ଭାତକୁ ସଜ ପଖାଳ ଓ ଭାତ ରାନ୍ଧିକି ଥଣ୍ଡା ହୋଇଯିବା ପରେ ସେଥିରେ ପାଣି ମିଶାଇ ୮ରୁ ୧୨ ଘଣ୍ଟା ଯାଏ ତାକୁ ରାତିରେ ରଖି ତା’ ପରଦିନ ଖାଉଥିବା ଭାତକୁ ବାସି ପଖାଳ କୁହାଯାଏ। ଏହି ଭାତରେ ଥିବା ପାଣିକୁ ତୋରାଣି କୁହାଯାଏ। ଭାତ ଖାଇ ସାରିବା ପରେ ତୋରାଣି ପିଆ ଯାଇଥାଏ।
ପଖାଳ ଯେ କେବଳ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ତାହା ନୁହେଁ, ବରଂ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଅରୁଆ ଭାତରେ ହେଉଥିବା ପଖାଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ଛପନ ଭୋଗ ମଧ୍ୟରୁ ଅନ୍ୟତମ। ପଖାଳକୁ ଆହୁରି ବିଭିନ୍ନ ପ୍ରକାରରେ ମଧ୍ୟ ଖିଆ ଯାଇଥାଏ। ଯେମିତି କି ଦହି ପଖାଳ, ଛୁଙ୍କ ପଖାଳ, ଚାଇଁ ପଖାଳ, ଜିରା ପଖାଳ ଏମିତି ଅନେକ କିଛି। ପଖାଳରେ ଅନେକ ପ୍ରୋବାୟୋଟିକ୍ସ ମଧ୍ୟ ରହିଛି। ପଖାଳ ଭାତ ପୁରା ରାତି ପାଣିରେ ଭିଜିବା ଦ୍ୱାରା ଏଥିରେ ବିଭିନ୍ନ ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି। ପଖାଳ ଖାଇବା ଦ୍ଵାରା ଶରୀରରେ ଜଳୀୟ ଅଂଶ ନ କମିବା ସହ ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଅଛି। ଯାହା ଆମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ।