ଯୁବପିଢିଙ୍କୁ ଗ୍ରାସ କରୁଛି ନିଶା

ରାଜଧାନୀ ପାଲଟିଛି ନିଶା ସେବନ ହବ।

କ୍ୟାରିଅର ନଷ୍ଟ ଭବିଷ୍ୟତ ଅନ୍ଧାର

ଭୁବନେଶ୍ବର, ୨୫/୦୪/୨୦୨୪: ନିଶା କବଳରେ ଯୁବପିଢି। ଯୁବପିଢିଙ୍କୁ ଗ୍ରାସ କରୁଛି ନିଶା। ରାଜଧାନୀ ପାଲଟୁଛି ନିଶା ହବ୍। ୧୫ ବର୍ଷ ବୟସରୁ ଆରମ୍ଭ ହେଉଛି ନିଶା ସେବନ। ସ୍କୁଲ ଯିବା ସମୟରେ ଅବାଟକୁ ଚାଲି ଯାଉଛନ୍ତି ପିଲା। ଆଉ ତା’ପରେ ମୁକୁଳି ନପାରି ଶେଷ ଠିକଣା ହେଉଛି ନିଶାସକ୍ତ ଅବସ୍ଥା।

ରାଜଧାନୀରେ ପ୍ରତ୍ୟେକ ଦିନ ଏମିତି କେହି ନା କେହି ମିଳିଯିବେ, ଯିଏ ନିଶାସକ୍ତ ଅବସ୍ଥାରେ ଦିନ ହେଉ କି ରାତି ତମାମ ରାସ୍ତାରେ ବୁଲୁଥିବେ ନହେଲେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବେ। କିନ୍ତୁ ଏହି ନିଶା ବୟସ ଦେଖୁନି। ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ଗ୍ରାସ କରୁଛି ନିଶା। ସ୍କୁଲରୁ ଟିକିଏ ଆରମ୍ଭ ହେଉଥିବା ଏହି ଅଭ୍ୟାସ ଯେ ଭବିଷ୍ୟତରେ ଅନ୍ଧକାରମୟ ପରିସ୍ଥିତି ସୃଷ୍ଟି କରିବ, ସେ ବିଷୟରେ ଅବଗତ ନାହାନ୍ତି ପିଲା। ଆଉ ଏହି ଅଭ୍ୟାସ ଯୋଗୁଁ କ୍ୟାରିୟର ସହ ନିଜ ଜୀବନ ମଧ୍ୟ ବରବାଦ ହେଇଯାଉଛି।

ମଦ, ସିଗାରେଟରେ ଆଉ ସୀମିତ ନାହିଁ। ବ୍ରାଉନସୁଗାର ଭଳି ମାରାତ୍ମକ ନିଶା ସେବନ କରୁଛନ୍ତି ଆଜିର ଯୁବପିଢ଼ି। ରାଜଧାନୀର ବସ୍ତିଠାରୁ ଆରମ୍ଭ କରି ସହର ଓ ଗଳିକନ୍ଦିରେ ବ୍ରାଉନସୁଗାର ନିଶାରେ ଉବୁଟୁବୁ ହେଉଛନ୍ତି ଯୁବପିଢି। କଲେଜ ପଢୁଆ ପିଲା ବିଶେଷକରି ଇଞ୍ଜିନିୟରିଂ ଓ ଗ୍ରାଜୁଏଟ୍ସ ମାନେ ନିଶା ପାନ କରିବା ସହ ନିଶା ବେପାରକୁ ଏକ ବିନା ପରିଶ୍ରମରେ ପଇସା ରୋଜଗାର ପାଇଁ ମାଧ୍ୟମ ଭାବେ ବାଛି ନେଉଛନ୍ତି। ବ୍ରାଉନସୁଗାର ଖାଇବାରେ ଏତେ ଅଭ୍ୟସ୍ତ ହେଇ ଯାଉଛନ୍ତି ଯେ ଯଦି ଠିକ୍ ସମୟରେ ତାହା ଉପଲବ୍ଧ ନଥିବ ତାହାଲେ ପାଗଳ ହୋଇ ଯାଉଛନ୍ତି।

ତେବେ ଏହି ବ୍ରାଉନ୍ ସୁଗାର କ’ଣ? ସାଧାରଣତଃ ବ୍ରାଉନସୁଗାର କଥା ଭାବିଲେ ଆମେ ଭାବୁ ଯେ, ଏହା ସାଧାରଣ ଚିନିର ଏକ ରୂପ। କିନ୍ତୁ ନା, ବ୍ରାଉନସୁଗାର ହେଉଛି ହେରୋଇନର ଏକ ଅପମିଶ୍ରିତ ରୂପ, ଯାହା ଅର୍ଦ୍ଧ-ସିନ୍ଥେଟିକ୍ ଓପିଅଏଡ୍ ଆକାରରେ ମିଳିଥାଏ। ବ୍ରାଉନସୁଗାର ହେରୋଇନ, ଚକ ପାଉଡର, ଜିଙ୍କ ଅକ୍ସାଇଡ ଏବଂ ଷ୍ଟ୍ରାଇକନିନର ଅତ୍ୟଧିକ ବିଷାକ୍ତ ମିଶ୍ରଣରେ ଗଠିତ। ଏକ ମିଶ୍ରଣ ହେରୋଇନର ଏକ ଅଶୁଦ୍ଧ ରୂପ, ଯାହା ଏହାକୁ ଅଧିକ ବିପଜ୍ଜନକ ଏବଂ ନିଶାଗ୍ରସ୍ତ କରିଥାଏ। ଏହା ଧୂମପାନ ମାଧ୍ୟମରେ ମଧ୍ୟ ନିଆଯାଇଥାଏ। ଏହାବ୍ୟତୀତ ଟିନ୍-ଫଏଲରେ ସେହି ପାଉଡରକୁ ପୋଡିବା ପରେ ତାହାକୁ ପ୍ରଶ୍ୱାସ ମାଧ୍ୟମରେ ଶୁଙ୍ଘିକି ନିଆ ଯାଇଥାଏ କିମ୍ବା ଇଞ୍ଜେକ୍ସନ ମାଧ୍ୟମରେ ଜଣେ ଗ୍ରହଣ କରେ।

ତଥ୍ୟ ଅନୁଯାୟୀ, ବ୍ରାଉନସୁଗାର ଭାରତରେ ଏକ ଅତ୍ୟଧିକ ନିଶା ବ୍ୟବହାରକାରୀ ଦ୍ରବ୍ୟ। ଦକ୍ଷିଣ ଏସିଆର ଅନ୍ୟ କୌଣସି ଦେଶ ତୁଳନାରେ ଆମ ଦେଶରେ ସର୍ବାଧିକ ମାତ୍ରାରେ ହେରୋଇନ୍ ବ୍ୟବହାର ହେଉଛି। ଏହା ଅତ୍ୟନ୍ତ ଚିନ୍ତାଜନକ କାରଣ ଏହା ଯୁବବର୍ଗଙ୍କ ଏକ ବୃହତ ଜନସଂଖ୍ୟାର ସମ୍ଭାବନାକୁ ହ୍ରାସ କରିଛି। ଯାହା ଆମ ସମାଜ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।