ଅଭିନେତ୍ରୀରୁ ରାଜନେତ୍ରୀ କଙ୍ଗନା ରଣାୱତ

ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିଜେପି ପ୍ରାର୍ଥୀ ଭାବେ କଙ୍ଗନା ରଣାୱତଙ୍କ ନାମ ଘୋଷଣା କରାଯାଇଛି।

ମଣ୍ଡି ପାଇଁ ପ୍ରାର୍ଥୀ କରିଥିବାରୁ ବିଜେପିକୁ ଧନ୍ୟବାଦ ଦେଲେ କଙ୍ଗନା

ନୂଆଦିଲ୍ଲୀ, ୨୫/୦୩/୨୦୨୪: ବଲିଉଡର ହାଇ ପେଡ୍ ଅଭିନେତ୍ରୀ କଙ୍ଗନା ରଣାୱତ। ବହୁ ବିବାଦୀୟ ମଧ୍ୟ। ନିଜର ଖୋଲା ଅନ୍ଦାଜରେ କଥା ଏବଂ ବିନା ସଙ୍କୋଚରେ ମନ୍ତବ୍ୟ ରଖୁଥିବା ଅଭିନେତ୍ରୀ କଙ୍ଗନା ବହୁ ସମୟରେ ବିବାଦ ଭିତରକୁ ଟାଣି ହୋଇ ଯାଆନ୍ତି। ପ୍ରାୟତଃ ବଲିଉଡ ଇଣ୍ଡଷ୍ଟ୍ରିର ସାଥୀ କଳାକାରମାନଙ୍କୁ ମଧ୍ୟ ସେ ରୋକଠୋକ କହିବାକୁ ପଛାନ୍ତି ନାହିଁ। ହେଲେ, ତାଙ୍କର ନିଖୁଣ ଅଭିନୟ ପାଇଁ ସେ ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।

ଅନେକ ସମୟରେ ସେ ବିଜେପିକୁ ସମର୍ଥନ କରୁଥିବା ଦେଖାଯାଇଥାଏ। କଙ୍ଗନା ପୂର୍ବରୁ ରାଜନୀତିରେ ପ୍ରବେଶ କରିବାର ଏକ ପ୍ରକାର ସଙ୍କେତ ଦେଇ କହିଥିଲେ ଯେ ଯଦି ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଆଶୀର୍ବାଦ ଦିଅନ୍ତି, ତେବେ ସେ ପରବର୍ତ୍ତୀ ଲୋକସଭା ନିର୍ବାଚନ ଲଢ଼ିବେ। ଆଉ ଗତ କାଲି ଘୋଷଣା କରାଯାଇଥିବା ବିଜେପିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କଙ୍ଗନାଙ୍କ ନାମ ରହିଥିଲା। ଯେଉଁଥିରୁ ସେ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ ହୋଇ ଯାଇଥିଲା।

କଙ୍ଗନା ରଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନ ପାଇଁ ଟିକେଟ୍ ମିଳିଥିଲା। ଏହି ଅବସରରେ କଙ୍ଗନା ବିଜେପି ନେତୃତ୍ୱ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଙ୍ଗନା କହିଛନ୍ତି, “ମୁଁ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଉଛି। ମଣ୍ଡି ହେଉଛି ମୋର ଜନ୍ମଭୂମି ଏବଂ ଏହା ମୋତେ ଫେରାଇ ଆଣିଛି। ଯଦି ଲୋକମାନେ ମୋତେ ବାଛିବେ, ମୁଁ ସେମାନଙ୍କ ସେବା କରିବି। ମୁଁ ଅଭିଭୂତ, ଏହା ମୋ ପରିବାର ଏବଂ ମୋ ପାଇଁ ଏକ ଭାବପ୍ରବଣ ଦିନ। ମୁଁ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ବିଜେପିର ସଂସ୍କୃତି ହେଉଛି ସହଯୋଗ କରିବା। ଏହା ଉପରେ ବିଶ୍ୱାସ କରି ମୁଁ ସେମାନଙ୍କ ସହିତ ଚାଲିବି ଏବଂ ଆମେ ଜିତିବୁ।”