ହାରିଲା ମୃତ୍ୟୁ, ବଞ୍ଚିଲା ଜୀବନ: ନୂଆ ଜୀବନ ପାଇଲେ ବୋରୱେଲରେ ଫସିଥିବା ରାହୁଲ

ନୂଆଦିଲ୍ଲୀ: ୧୦୧ ଘଣ୍ଟା ପରେ ସଫଳ ହେଲା ଅପରେସନ । ସୁରକ୍ଷିତ ଉଦ୍ଧାର ହେଲେ ୧୧ ବର୍ଷର ଦିବ୍ୟାଙ୍ଗ ବାଳକ ରାହୁଲ । ବହୁ ବାଧା ବିଘ୍ନ ପରେ ରହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ। ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ସବୁଠୁ ବଡ଼ ରେସ୍‌କ୍ୟୁ ଅପରେସନ । ରାହୁଲଙ୍କୁ ଉଦ୍ଧାର ପରେ ସଙ୍ଗେ ସଙ୍ଗେ ନିଆଗଲା ବିଳାସପୁର ଆପୋଲୋ ହସ୍ପିଟାଲ । ହସ୍ପିଟାଲରେ ରାହୁଲଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ଡାକ୍ତର ।

ତେବେ ଛତିଶଗଡ଼ ଜାଞ୍ଜଗିରି-ଚମ୍ପା ଜିଲ୍ଲାର ପିହରିଡ୍‌ ଗାଁରେ ୮୦ ଫୁଟ ତଳେ ବୋରୱେଲରେ ଫସିରହିଥିଲା ୧୦ ବର୍ଷୀୟ ରାହୁଲ ସାହୁ । ଖବର ମିଳିବା ପରେ ଦେଶର ବଡ ବଡ଼ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ୨ ଦିନ ଧରି ରାତିରେ ଲାଇଟ ଲଗାଇ ଅପରେସନ କାର୍ଯ୍ୟ ଜାରି ରହିଥିଲା । ଅପରେସନ୍‌ରେ ସାମିଲ ହୋଇଥିଲା ରେସ୍କ୍ୟୁ ରୋବୋଟ୍‌ । ବୋରୱେଲ ପାଖରେ ପୋକଲିନ, ଜେସିବି ଓ ଡ୍ରିଲ ମେସିନ ମାଧ୍ୟମରେ ଖୋଳା ଯାଇଥିଲା । ଦୁଇ ଦିନ ପୂର୍ବରୁ ରାତିରୁ ବୋରୱେଲ ପାଖରେ ଗାତ ଖୋଳାଯାଉଥିଲା । ଖନନ ଦ୍ୱାରା ରାହୁଲକୁ ଯେପରି କୌଣସି କ୍ଷତି ନପହଞ୍ଚେ ତାକୁ ଧ୍ୟାନ ରଖାଯାଇଥିଲା। ଉଦ୍ଧାର ସ୍ଥଳରେ ଜିଲ୍ଲା ପ୍ରଶାସନ, ପୋଲିସ ସହ ଏନଡିଆରଏଫ ଓ ଏସଡିଆରଏଫ ଉପସ୍ଥିତ ଥିଲେ । ବୋରୱେଲ ଭିତରକୁ ଖାଦ୍ୟ ଓ ପାନୀୟ ପଠାଯାଇ ରାହୁଲକୁ ଦିଆଯାଉଥିଲା। ବର୍ତ୍ତମାନ ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପ୍ରଶାସନ । ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଉପରେ ସ୍ୱତନ୍ତ୍ର ନଜର ରଖିଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।