ପହିଲି ରଜ ଉତ୍ସବ ମୁଖର ଗାଁ ଠୁ ସହର

ପହିଲି ରଜ ଉତ୍ସବ ମୁଖର ଗାଁ ଠୁ ସହର

 

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ । ବର୍ଷର ଅପେକ୍ଷା ପରେ ପୁଣି ରଜ ଆସିଛି । ଆଜି (ମଙ୍ଗଳବାର) ପହିଲି ରଜ ପାଳୁଛି ଓଡିଶା । ଏନେଇ ଚଳଚଞ୍ଚଳ ଗାଁ ଠାରୁ ସହର । ପହିଲି ରଜରେ ପୁଲକିତ ହୋଇ ଉଠିଛି ଧରା । ପ୍ରତି ଘରେ ଜମିଛି ପିଠାମିଠାର ସମ୍ଭାର ଓ ଆନନ୍ଦର ଆସର । ପୋଡ ପିଠା ଓ ଖିଲି ପାନ ଖାଇ ଭଳିକି ଭଳି ନୂଆ ପୋଷାକ ପିନ୍ଧି ସଭିଏଁ ପାଳୁଛନ୍ତି ଗଣପର୍ବ ରଜ। ଅଳତା କୁଙ୍କୁମ ମେହୋନ୍ଦି ରଙ୍ଗ ଶୃଙ୍ଗାରରେ ସଜେଇ ହୋଇ ଦୋଳି ଖେଳି ରଜ ମଉଜ କରୁଛନ୍ତି ତରୁଣୀ ମାନେ ।

କୋରୋନା ପାଇଁ ୨ ବର୍ଷ ଦେବ ରଜ ଫିକା ପଡିଥିଲା ହେଲେ ଚଳିତ ବର୍ଷ ଧୁମଧାମରେ ପାଳନ ହୋଇଛି ରଜ । ପାରମ୍ପରିକ ପର୍ବ ରଜ ସଜବାଜରୁ ଆରମ୍ଭ ହୁଏ । ତିନିଦିନ ପାଳନ ହୁଏ ଏହି ପର୍ବ । ଏହି ୩ଦିନ ଚଷାପୁଅ ଚାଷକାମ ବନ୍ଦ ରଖିଥାନ୍ତି । ବିଶ୍ରାମ ନିଅନ୍ତି ଧରଣୀ ମା’ । ଏହି ପର୍ବ ପାଳିବାକୁ ଗାଁ ମୁହାଁ ହୋଇଥାନ୍ତି ସହରବାସୀ । ଘରେ ବନ୍ଦୁବାନ୍ଦବଙ୍କ ଯିବା ଆସିବା ବି ଲାଗି ରହିଥାଏ । ଏହାକୁ ଏକ କୃଷିଭିତ୍ତିକ ପର୍ବ ବୋଲି ମଧ୍ୟ କୁହାଯାଏ ।ପରମ୍ପରା ମୁତାବକ ସଜବାଜରେ ହିଁ ଘରର ସମସ୍ତ କାମ ସାରିବାକୁ ପଡିଥାଏ । ଅର୍ଥାତ ପିଠା ପଣା ସବୁ ସଜବାଜରୁ ହିଁ ହୋଇଥାଏ । ଏଥିପାଇଁ କୁମାରୀମାନେ ୩ଦିନ ରଜ ଉତ୍ସବକୁ ବେଶ୍ ଧୂମାଧାମରେ ପାଳିଥାନ୍ତି । ନୂଆ ଡ୍ରେସ୍ ପିନ୍ଧି ସଜବାଜ ହୋଇ ପିଠା ପଣା ଖାଇବା ସହ ଦୋଳି ଖେଳିବାର ମଜା ନେଇଥାନ୍ତି ।

ଘରେ ଘରେ ପୋଡ଼ପିଠାର ମହକ ସାଙ୍ଗକୁ ପାନର ରଙ୍ଗରେ କୁଆଁରୀଙ୍କ ଓଠ ଝଲସି ଉଠିଛି। ଏଥିସହ ସେମାନେ ମେହେନ୍ଦୀ କରିବା ସହ ସଜବାଜ ହୋଇ ନୂଆ ଡ୍ରେସ୍‌ ପିନ୍ଧି ସାଙ୍ଗମାନଙ୍କ ସହିତ ଦୋଳି ଖେଳୁଛନ୍ତି। ସେହିପରି ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଇଛି। ମହାମାରୀ କରୋନା ଯୋଗୁ ୨ବର୍ଷ ହେବ ରଜପର୍ବ ଫିକା ପଡ଼ିଥିଲା। ତେବେ ଚଳିତ ବର୍ଷ ଏହାକୁ କିପରି ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ହୋଇଛି

ନନ୍ଦନକାନନରେ ଅଧିକ ପର୍ୟ୍ୟଟକ ଆସିବାକୁ ନେଇ ବିଭିନ୍ନ ବ୍ୟବସ୍ଥା କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ସହିତ ଅଧିକ ଟିକେଟ କାଉଣ୍ଟର ଖୋଲା ଯାଇଛି ଯାହାକି ପର୍ୟ୍ୟଟକମାନେ ଟିକେଟ ନେଇପାରିବେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିପାରିବେ। ଏହା ସହ ସିସିଟିଭି ମାଧ୍ୟମରେ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯିବ। ପର୍ୟ୍ୟଟକମାନଙ୍କ ପାଖରୁ ବିଭିନ୍ନ ସମୟରେ ପକେଟମାର ହେଉଥିବାରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୁଲିସ ମୁତୟନ କରାଯାଇଛି।

ପହିଲି ରଜ ଅବସରରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି ଯେ, ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ଏହି ଅବସରରେ ସମସ୍ତଙ୍କ ସୁଖ ଓ ମଙ୍ଗଳମୟ ଜୀବନ କାମନା କରୁଛି।