ନବନିଯୁକ୍ତ ୬ ହଜାର ୮୯୧ ଶିକ୍ଷକଙ୍କୁ ନେଇ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ଵର:  ଶିକ୍ଷକଙ୍କୁ ନବୀନଙ୍କ ଗୁରୁମନ୍ତ୍ର । ନବନିଯୁକ୍ତ ୬ ହଜାର ୮୯୧ ଶିକ୍ଷକଙ୍କୁ ନେଇ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିଯୁକ୍ତ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ କହିଥିଲେ ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ର ନିର୍ମାତା, ଜାତିର ଗୌରବ । ୩ବର୍ଷ ଭିତରେ ୧୪ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଶିକ୍ଷକତାକୁ ଚାକିରି ନୁହେଁ, ସଂକଳ୍ପ ଭାବେ ଗ୍ରହଣ କରି କାମ କରନ୍ତୁ ବୋଲି ନବନିଯୁକ୍ତ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ସେହିଭଳି ରାଜ୍ୟର ୪ ହଜାର ସ୍କୁଲ ରୂପାନ୍ତରିକରଣ ସରିଛି । ଆହୁରି ୪ହଜାର ୮ଶହ ସ୍କୁଲକୁ ରୁପାନ୍ତରୀକରଣ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ପୂରା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ୍ ।  କାର୍ଯ୍ୟକ୍ରମରେ ନବନିଯୁକ୍ତ ୬ହଜାର ୮୯୧ ଶିକ୍ଷକ ଯୋଗଦେଇଥିବା ବେଳେ  ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।